ସୁନ୍ଦରଗଡ଼ରେ ୨୦୦ଶଯ୍ୟା ବିଶିଷ୍ଟ କୋଭିଡ୍‌ କେୟାର ହସ୍ପିଟାଲ

ସୁୁନ୍ଦରଗଡ଼,୧୯ା୪(ଡି.ଏନ୍‌.ଏ.)
ସୁନ୍ଦରଗଡ଼ରେ ନିର୍ମାଣାଧୀନ ମେଡିକାଲ କଲେଜ ଓ ହସ୍ପିଟାଲରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ କେୟାର ଓ୍ବାର୍ଡର କାମ ସରିଛି ା ଏହି ହସ୍ପିଟାଲକୁ ଜିଲା ପ୍ରଶାସନକୁ ହସ୍ତାନ୍ତର କରାଯାଇଛି । ଏଥିରେ ଥିବା ୧୪ଟି ଓ୍ବାର୍ଡରେ ୧୮ଟି କୋଠରି ରହିଛି। ପ୍ରତି କୋଠରିରେ ୧୨ଟି ଲେଖାଏଁ ବେଡ୍‌ ଯୋଗାଇ ଦେବା ସହ ନିୟୋଜିତ ମେଡିକାଲ କର୍ମଚାରୀଙ୍କ ସକାଶେ ସ୍ବତନ୍ତ୍ର ଗୃହ ରହିଛି । ଏହି ପ୍ରକଳ୍ପରେ କାର୍ଯ୍ୟରତ ଏନ୍‌ଟିପିସିର ସମସ୍ତ କର୍ମଚାରୀମାନେ ଗୋଟିଏ ଦିନର ଦରମା ଓ ଅଭିଳାଷ ଲେଡିସ କ୍ଲବର ସଦସ୍ୟାମାନେ ୧ଲକ୍ଷ ଟଙ୍କା ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି । ଏନଟିପିସି ତରଫରୁ ଜିଲା ପ୍ରଶାସନକୁ ହସ୍ତାନ୍ତର କରାଯାଇଥିବା ୨୦୦ଶଯ୍ୟା ବିଶିଷ୍ଟ ଏହି ମେଡିକାଲ ଆସନ୍ତା ୨୦ତାରିଖଠାରୁ ସ୍ବତନ୍ତ୍ର ଭାବେ କୋଭିଡ୍‌-୧୯ କେୟାର ହସ୍ପିଟାଲ ଭାବେ କାର୍ଯ୍ୟ କରିବ ବୋଲି ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ସରୋଜ କୁମାର ମିଶ୍ର କହିଛନ୍ତି ା ଅନ୍ୟପକ୍ଷେ କରୋନା ଭାଇରସର ମୁକାବିଲା ପାଇଁ ସୁନ୍ଦରଗଡ ଜିଲା ଦର୍ଲିପାଲିସ୍ଥିତ ଏନ୍‌ଟିପିସି ବୃହତ୍‌ ତାପଜ ପ୍ରକଳ୍ପ ପକ୍ଷରୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଚାଲୁ ରହିଛି । ପ୍ରକଳ୍ପର ମୁଖ୍ୟ ସୁନୀଲ ସତ୍ୟଙ୍କ ତତ୍ତ୍ୱାବଧାନରେ ପ୍ରକଳ୍ପ ମଧ୍ୟରେ କାମ କରୁଥିବା କର୍ମଚାରୀ ଓ ଶ୍ରମିକମାନଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ବଜାୟ ରଖିବା ସହ ବିଭିନ୍ନ ସଚେତନତା ଓ ସହାୟତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।