ସୁନା ଲୋଭ ଦେଖାଇ କନ୍‌ଷ୍ଟେବଳଙ୍କଠାରୁ ୬ ଲକ୍ଷ ଠକେଇ

କଟକ ରୋଡ୍‌,୧୨ା୩(ଡି.ଏନ୍‌.ଏ.): ସୁନା ଲୋଭ ଦେଖାଇ ଜଣେ କନ୍‌ଷ୍ଟେବଳଙ୍କ ଠାରୁ ୬ଲକ୍ଷ ଟଙ୍କା ଠକିନେବା ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୋଲିସ ସୋମବାର ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଆସାମ ରାଜ୍ୟ ଧୁବରୀ ଜିଲାର ଫକୀରଚାନ ଖାନ, ନିଜାମୁଦ୍ଦିନ ଫକିର, ମନୋହର ଅଲ୍ଲି ଓ ମୁଜାମ ଅଲ୍ଲି। ଏମାନଙ୍କ ନିକଟରୁ ୬ ଲକ୍ଷ ଟଙ୍କା ଓ ନକଲି ସୁନା ଜବତ ହୋଇଛି।
ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲା ବାଲିପାଟଣା ଥାନା ଅଧୀନ ଖଇରିପୁର ଗ୍ରାମର ଦୈତାରୀ ମଲ୍ଲିକ ସିଆରପିଏଫ୍‌ କନ୍‌ଷ୍ଟେବଳ ଭାବେ କାର୍ଯ୍ୟ କରୁଥିବା ବେଳେ ଲକ୍ଷ୍ମୀସାଗର ଥାନା ଅଧୀନ ଚିନ୍ତାମଣିଶ୍ୱର ଅଞ୍ଚଳରେ ରୁହନ୍ତି। ଅଭିଯୁକ୍ତ ଫକୀର ଚାନ ଜଣେ ମାଛ ବ୍ୟବସାୟୀ ହୋଇଥିବା ବେଳେ ଦୈତାରୀଙ୍କୁ ମାଛ ଦିଅନ୍ତି। ଦୀର୍ଘଦିନ ଭଳି ଏଭଳି ବ୍ୟବସାୟ ଚାଲିବା ପରେ ଫକୀରଚାନଙ୍କ ନିକଟରେ ୭୫୦ଗ୍ରାମ ସୁନା ରହିଛି ଓ ସେ ଏହାକୁ ବିକ୍ରି କରିବାକୁ ଚାହୁଁଥିବା ଦୈତାରୀଙ୍କ ସ୍ତ୍ରୀ ରାଧାମଣୀଙ୍କୁ ଜଣାଇଥିଲେ। ପରେ ଏ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଗତ ଜାନୁୟାରୀ ୧୧ରେ ଦୈତାରୀ ଓ ତାଙ୍କ ସ୍ତ୍ରୀଙ୍କ ସହ ଫକୀରଚାନ ଭୁବନେଶ୍ୱର ରେଳ ଷ୍ଟେଶନରେ ପହଞ୍ଚିଥିଲେ। ସେଠାରେ ଅପେକ୍ଷା କରିଥିବା ଅନ୍ୟ ଅଭିଯୁକ୍ତ ନିଜାମୁଦ୍ଦିନ ଏକ ସୁନା ମୁଣ୍ଡା ଦୈତାରୀଙ୍କୁ ଦେବା ପରେ ସେମାନଙ୍କଠାରୁ ୬ଲକ୍ଷ ଟଙ୍କା ନେଇଥିଲେ। ୧୨ତାରିଖରେ ଦୈତାରୀ ଉକ୍ତ ସୁନା ମୁଣ୍ଡା ନେଇ ଗହଣା ଦୋକାନରେ ଦେଖାଇବା ପରେ ଏହା ନକଲି ବୋଲି ଜଣାପଡିଥିଲା। ଏ ନେଇ ଦୈତାରୀଙ୍କ ଅଭିଯୋଗକ୍ରମେ ପୋଲିସ ଏକ ମାମଲା(ନଂ.୧୧/୨୦) ରୁଜୁ କରିଥିଲା। ନିଜାମୁଦ୍ଦିନ ଫୋନ ନମ୍ବର ପୋଲିସ ଟ୍ରାକିଂ କରିବା ପରେ ଝାରପଡ଼ା କେନାଲ ରୋଡରୁ ମାଛ ବ୍ୟବସାୟୀ ଫକୀର ଚାନ ଓ ନିଜାମୁଦ୍ଦିନଙ୍କୁ ଧରିଥିଲା। ଅନ୍ୟ ଦୁଇ ଜଣ ଉକ୍ତ ଅଞ୍ଚଳରେ ଏଭଳି ସୁନା ବିକ୍ରି ପାଇଁ ଚାହୁଁଥିବା ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ପୋଲିସ ସେମାନଙ୍କୁ ଧରି ଜେରା କରିବା ପରେ ଅନ୍ୟତମ ସହଯୋଗୀ ମନୋହର ଓ ମୁଜାମଙ୍କୁ ଗିରଫ କରିଥିଲା।