ସୁନା ବ୍ୟବସାୟୀଙ୍କ ଘରେ ଆୟକର ବିଭାଗର ଚଢାଉ: ଜବତ ୬୮.୧୩ ଲକ୍ଷ ଟଙ୍କାର ଖୋଳତାଡ

ବ୍ରହ୍ମପୁର ଅଫିସ,୨୯ା୭-ଆୟକର ବିଭାଗ ପକ୍ଷରୁ ବ୍ରହ୍ମପୁରର ଜଣେ ସୁନା ବ୍ୟବସାୟୀ କେ.ପ୍ରସାଦ ରାଓ ସୁବୁଦ୍ଧିଙ୍କ ବଡବଜାର ଗୌଡ଼ ସାହିସ୍ଥିତ ବାସଭବନରେ ଚଢାଉ କରାଯାଇଛି। ଗତ ୨୬ ତାରିଖରେ କଲିକତାର ରେଳବାଇ ପ୍ରୋଟେକ୍ସନ ଫୋର୍ସ (ଆରପିଏଫ) ହାୱଡା ଷ୍ଟେଶନରୁ ପ୍ରସାଦଙ୍କର ଜଣେ କର୍ମଚାରୀ ସଞ୍ଜିତ ମହାପାତ୍ରଙ୍କଠାରୁ ୬୮.୧୩ ଲକ୍ଷ ଟଙ୍କା ଜବତ କରିଥିଲା। କର୍ମଚାରୀ ଜଣକ ଉକ୍ତ ଟଙ୍କାର କୌଣସି ହିସାବ ଦେଇପାରି ନ ଥିଲେ। ବ୍ରହ୍ମପୁର ଶଙ୍କର ଜୁଏଲାରୀ ମାଲିକ କେ. ପ୍ରସାଦ ରାଓ ସୁବୁଦ୍ଧି ଏ ଟଙ୍କା ଦେଇ ମୋତେ ଜଣେ ବ୍ୟବସାୟୀଙ୍କୁ ଦେବା ପାଇଁ କଲିକତା ପଠାଇଛନ୍ତି ବୋଲି ସେ ଆରପିଏଫ ପୋଲିସକୁ କହିଥିଲେ। ପରେ ଆରପିଏଫ ପୋଲିସ ସଞ୍ଜିତ ଏବଂ ତାଙ୍କଠାରୁ ଜବତ କରିଥିବା ଟଙ୍କାକୁ କଲିକତା ଆୟକର ବିଭାଗକୁ ହସ୍ତାନ୍ତର କରିଥିଲେ। ଯାଞ୍ଚ ପରେ ଆୟକର ବିଭାଗ ସଞ୍ଜିତ ଓ ଜବତ ଟଙ୍କା ଓଡିଶା ଆୟକର ବିଭାଗକୁ ହସ୍ତାନ୍ତର କରିଥିଲେ। ଶନିବାରରୁ ଆୟକର ବିଭାଗ କର୍ମଚାରୀମାନେ ପ୍ରସାଦ ରାଓଙ୍କ ବାସଭବନ ଏବଂ ତାଙ୍କ ସୁନା କାରବାର ବିଷୟରେ ଖୋଳତାଡ ଚଳାଇଛନ୍ତି। ପ୍ରସାଦ ଉକ୍ତ ଟଙ୍କା କଲିକତାର କେଉଁ ବ୍ୟବସାୟୀଙ୍କୁ ଦେବା ପାଇଁ ତାଙ୍କ କର୍ମଚାରୀଙ୍କ ଜରିଆରେ ପଠାଇଥିଲେ, ସେ ନେଇ ମଧ୍ୟ ଖୋଳତାଡ ଆରମ୍ଭ କରିଛି। ବ୍ୟବସାୟୀ ଜଣଙ୍କ ଚଳାଇଥିବା ସୁନା କାରବାରର ଆୟକର ଠିକ୍‌ ଭାବେ ଦାଖଲ କରୁଛନ୍ତି କି ନାହିଁ ସେନେଇ ମଧ୍ୟ ବିଭାଗ ଖୋଳତାଡ ଚଳାଇଥିବା ଜଣାପଡିଛି। ଖବର ଲେଖାହେବା ସୁଦ୍ଧା ଖୋଳତାଡ ଜାରି ରହିଛି ା