Categories: ମେଟ୍ରୋ

ସୁନା, ଚାନ୍ଦି ଅଳଙ୍କାରରେ ସଜେଇ ହେବେ ହରପାର୍ବତୀ

କଟକ ରୋଡ,୨୩।୯(ଡି.ଏନ୍‌.ଏ.) : ଶାରଦୀୟ ଦୁର୍ଗାପୂଜା ସମୟରେ ରାଜଧାନୀର ବଡ଼ଗଡ଼ସ୍ଥିତ ନେତାଜୀ ଯୁବକ ସଂଘ ପକ୍ଷରୁ ଅନୁଷ୍ଠିତ ହେଉଥିବା ହରପାର୍ବତୀ ପୂଜା ଚଳିତଥର ୪୩ବର୍ଷରେ ପହଞ୍ଚିଛି। ହରପାର୍ବତୀଙ୍କ ସହ କାର୍ତ୍ତିକ, ଗଣେଶ ଓ ପାର୍ଶ୍ୱ ଦେବଦେବୀ ସୁନା ଓ ଚାନ୍ଦି ଅଳଙ୍କାରରେ ସଜେଇ ହେବେ। ଏହା ମୁଖ୍ୟ ଆକର୍ଷଣ ହେବ ବୋଲି ଯୁବକ ସଂଘ କର୍ମକର୍ତ୍ତା କହିଛନ୍ତି। ୭୫ଫୁଟ ଉଚ୍ଚତା ସହ ୫୫ଫୁଟ ଓସାରର ଏକ ଆକର୍ଷଣୀୟ ତୋରଣ ନିର୍ମାଣ ପାଇଁ ମଧ୍ୟ ପ୍ରସ୍ତୁତି ଜାରି ରହିଛି। ୬ଟି ଏଲଇଡି ଲାଇଟ ମାଧ୍ୟମରେ ବିଭିନ୍ନ କଥାବସ୍ତୁ ସ୍ଥାନ ପାଇବ। ଚଳିତବର୍ଷ ପୂଜା ବଜେଟ ୧୫ଲକ୍ଷ ଟଙ୍କା ରଖାଯାଇଥିବା ସଂଘ କୋଷାଧ୍ୟକ୍ଷ ଦୀପକ କୁମାର ବେହେରା କହିଛନ୍ତି। ଷଷ୍ଠୀଠାରୁ ଦଶମୀ ତିଥି ମଧ୍ୟରେ ବିଭିନ୍ନ ପ୍ରସାଦ ଦେବଦେବୀଙ୍କ ନିକଟରେ ଲାଗି ହେବ। ଅଷ୍ଟମୀ ଓ ନବମୀ ତିଥିରେ ଦହି ପଖାଳ ଶ୍ରଦ୍ଧାଳୁଙ୍କୁ ବଣ୍ଟନ ବ୍ୟବସ୍ଥା କରାଯାଇଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୭୦ସ୍ବେଚ୍ଛାସେବୀ ନିୟୋଜିତ ହେବେ। ମଣ୍ଡପ ପରିସରରେ ୪ ସିସି କ୍ୟାମେରା ଖଞ୍ଜାଯିବ। ଷଷ୍ଠୀଠାରୁ ଦଶମୀ ପର୍ଯ୍ୟନ୍ତ ଭୁବନେଶ୍ୱର ଓ କଟକ କଳାକାରଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ। ସମ୍ବଲପୁର, ମୟୂରଭଞ୍ଜ, କେନ୍ଦୁଝର, କୋରାପୁଟ ଓ କଳାହାଣ୍ଡି ଅଞ୍ଚଳର ପାରମ୍ପରିକ ବାଦ୍ୟକାରଙ୍କୁ ନେଇ ଭସାଣି ଉତ୍ସବ ଅନୁଷ୍ଠିତ ହେବ।
ଚଳିତବର୍ଷ ପୂଜା ମଣ୍ଡପରେ ଅନେକ ସଚେତନତା ବାର୍ତ୍ତା କର୍ମକର୍ତ୍ତା ବାଣ୍ଟିବେ। ମଣ୍ଡପ ପରିସରରେ ପ୍ଲାଷ୍ଟିକ ମୁକ୍ତ ହେବା ପାଇଁ ସଂଘ କର୍ମକର୍ତ୍ତା ଯତ୍ନବାନ ରହିବେ। ଏଥି ସହ ଏହାର ପ୍ରସାର ପ୍ରଚାର ପାଇଁ ମଧ୍ୟ ଯୋଜନା ହାତକୁ ନିଆଯାଉଛି।
ସନ୍ତୋଷ କୁମାର ସିଂହ (ସଭାପତି)
ଡିଜେ ଉପରେ କମିଶନରେଟ ପୋଲିସ ଜାରି କରିଥିବା କଟକଣାକୁ ନେତାଜୀ ଯୁବକ ସଂଘ ସମର୍ଥନ କରୁଛି। ଏଥର ପାରମ୍ପରିକ ବାଦ୍ୟ ଉପରେ ଗୁରୁତ୍ୱ ଦିଆଯାଇଛି। ଗ୍ରାମବାସୀଙ୍କ ସହଯୋଗରେ ଦୀର୍ଘ ବର୍ଷ ଧରି ଚାଲିଥିବା ପୂଜା ଶାନ୍ତିଶୃଙ୍ଖଳାରେ ଚାଲିଛି।
ବୃନ୍ଦାବନ ଦାସ (ସମ୍ପାଦକ)