ସୁଦର୍ଶନଙ୍କୁ ଇଟାଲିଆନ ଗୋଲ୍ଡେନ ସ୍ୟାଣ୍ଡ ଆର୍ଟ ଆୱାର୍ଡ

ପୁରୀ ଅଫିସ,୧୭।୧୧: ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କୁ ମିଳିଛି ଇଟାଲିଆନ ଗୋଲ୍ଡେନ ସ୍ୟାଣ୍ଡ ଆର୍ଟ ଆୱାର୍ଡ। ଇଟାଲୀର ରାଜଧାନୀ ରୋମ୍‌ରେ ଅନୁଷ୍ଠିତ ବିଶ୍ୱସ୍ତରୀୟ ବାଲୁକା କଳା ପ୍ରଦର୍ଶନୀ ଅବସରରେ ଶୁକ୍ରବାର ସନ୍ଧ୍ୟାରେ ପ୍ରଥମ ଭାରତୀୟ ଭାବେ ସୁଦର୍ଶନ ଏହି ସମ୍ମାନଜନକ ପୁରସ୍କାର ପାଇଛନ୍ତି। ପ୍ରୋମଭି ଇଣ୍ଟରନ୍ୟାଶନାଲ ସ୍କୋରାନୋ ସ୍ୟାଣ୍ଡ ନେଟିଭିଟିର ପ୍ରେସିଡେଣ୍ଟ ଭିଟ୍ଟୋ ମାରାସ୍କିଓ ତାଙ୍କୁ ଏହି ଆୱାର୍ଡ ପ୍ରଦାନ କରିଛନ୍ତି। ପୁରସ୍କାର ପ୍ରଦାନ ଉତ୍ସବରେ ଭାରତୀୟ ଦୂତାବାସର ନିହାରିକା ସିଂ ଉପସ୍ଥିତ ଥିଲେ। ଇଟାଲୀରେ ଅନୁଷ୍ଠିତ ବିଶ୍ୱସ୍ତରୀୟ ବାଲୁକା କଳା ପ୍ରଦର୍ଶନୀରେ ସୁଦର୍ଶନ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। ଏଥିରେ ସୁଦର୍ଶନ ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ରୁଷୀୟ କଳାକାର ପାଭେଲ୍‌ ମିନିଲିକୋଭଙ୍କ ୧୦ ଫୁଟ ଉଚ୍ଚର ବାଲୁକା କଳା ପ୍ରଦର୍ଶନ କରିଥିଲେ, ଯାହାକୁ ଦେଖଣାହାରିମାନେ ବେଶ୍‌ ପ୍ରଶଂସା କରିଥିଲେ। ଏହି ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ବିଭିନ୍ନ ରାଷ୍ଟ୍ରର ୮ଜଣ ପ୍ରତିଷ୍ଠିତ ବାଲୁକା ଶିଳ୍ପୀ ଅଂଶଗ୍ରହଣ କରିଥିଲେ। ଏହି ମର୍ଯ୍ୟାଦାଜନକ ଅନ୍ତର୍ଜାତୀୟ ପୁରସ୍କାର ପାଇଥିବାରୁ ସେ ବେଶ୍‌ ଖୁସି ବୋଲି ସୁଦର୍ଶନ କହିଛନ୍ତି।