Categories: ଖେଳ

ସୁଇମିଂ ପୁଲ୍‌ ନ ଖୋଲିଲେ ଅବସର ନେଇପାରନ୍ତି ବିର୍ଦ୍ଧଓ୍ବାଲ

ନୂଆଦିଲ୍ଲୀ, ୧୪ା୬ (ପି.ଟି.)-ସୁଇମିଂ ଟ୍ରେନିଂ ଆରମ୍ଭ ହୋଇ ପାରି ନ ଥିବାରୁ ହତୋତ୍ସାହିତ ହୋଇ ପଡ଼ିଛନ୍ତି ଏସିଆନ ଗେମ୍ସ ବ୍ରୋଞ୍ଜ ପଦକ ବିଜେତା ବିର୍ଦ୍ଧଓ୍ବାଲ୍‌ ଖାଡ଼େ। କୋଭିଡ୍‌-୧୯ ଯୋଗୁ ସୁଇମିଂ ପୁଲ୍‌ ବ୍ୟବହାର ଉପରେ କଟକଣା ଜାରି ହୋଇଛି। ଏହା ଦ୍ୱାରା ଟୋକିଓ ଅଲିମ୍ପିକ୍ସ ପାଇଁ ଭଲ ରୂପେ ପ୍ରସ୍ତୁତି ହୋଇ ପାରିବ ନାହିଁ। କଟକଣା ଉଠିବାରେ ବିଳମ୍ବ ଘଟିଲେ ସୁଇମିଂରୁ ସେ ଅବସର ନେବାଲାଗି ବିଚାର କରିପାରନ୍ତି ବୋଲି ବିର୍ଦ୍ଧଓ୍ବାଲ କହିଛନ୍ତି। ଥାଇଲାଣ୍ଡ, ଅଷ୍ଟ୍ରେଲିଆ ଓ ୟୁନାଇଟେଡ୍‌ କିଙ୍ଗଡମ୍‌ ସମେତ ବହୁ ଦେଶ ସେମାନଙ୍କ ସୁଇମିଂପୁଲ ଖୋଲିବା ସହ ଆଥଲେଟମାନଙ୍କୁ ଟ୍ରେନିଂ ପାଇଁ ଅନୁମତି ଦେଇ ସାରିଲେଣି। ଲକ୍‌ଡାଉନ୍‌ ସମୟରେ ସରକାର କେତେକ କ୍ଷେତ୍ରରେ କୋହଳ କରିଛନ୍ତି। ହେଲେ ମାର୍କେଟ, ଶପିଂ ମଲ୍‌ ଓ ସୁଇମିଂ ପୁଲ୍‌ ଖେଳିବାକୁ ଅନୁମତି ଦେଇ ନାହାନ୍ତି। ଭାରତରେ ୩ ମାସ ହେଲା ସନ୍ତରଣକାରୀମାନେ ସୁଇମିଂପୁଲ୍‌ ବ୍ୟବହାର କରିପାରି ନାହାନ୍ତି। କିନ୍ତୁ ଇତିିମଧ୍ୟରେ ଅନ୍ୟ ଆଥଲେଟମାନେ ସାମାଜିକ ଦୂରତ୍ୱ ବଜାୟ ରଖି ଟ୍ରେନିଂ ଆରମ୍ଭ କରିସାରିଲେଣି। ସନ୍ତରଣକାରୀମାନେ ମଧ୍ୟ ତାହା କରିପାରିବେ। କର୍ତ୍ତୃପକ୍ଷ ସନ୍ତରଣକାରୀଙ୍କ ସମସ୍ୟା ଦୂର କରିବେ ବୋଲି ମୋର ଆଶା। ତା’ ନହେଲେ ମୋ ଭଳି ଅନ୍ୟ କେତେକ ସନ୍ତରଣକାରୀ ଅବସର କଥା ଚିନ୍ତା କରିପାରନ୍ତି ବୋଲି ବିର୍ଦ୍ଧଓ୍ବାଲ ପ୍ରକାଶ କରିଛନ୍ତି। ଦେଶର ଏଲିଟ୍‌ ସନ୍ତରଣକାରୀମାନଙ୍କୁ ଟ୍ରେନିଂ ଆରମ୍ଭ କରିବା ଲାଗି ଅନୁମତି ବ୍ୟବସ୍ଥା କରିବା ଲାଗି ସୁଇମିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏସ୍‌ଏଫ୍‌ଆଇ) ଇତିମଧ୍ୟରେ କ୍ରୀଡ଼ା ମନ୍ତ୍ରଣାଳୟକୁ ଅନୁରୋଧ କରିଛି। କ୍ରୀଡ଼ା ମନ୍ତ୍ରଣାଳୟ ମଧ୍ୟ ଏ ବିଷୟରେ ଗୃହମନ୍ତ୍ରଣାଳୟର ଦୃଷ୍ଟି ଆକର୍ଷଣ କରିଛି।

Share