ସୀମିତ ରହିବ ହାଇକୋର୍ଟ କାର୍ଯ୍ୟ

କଟକ ଅଫିସ,୪।୫: ଲକ୍‌ଡାଉନ ଅବଦ୍ଧି ବୃଦ୍ଧିକୁ ନେଇ ହାଇକୋର୍ଟ ପକ୍ଷରୁ ରବିବାର ନୂତନ ନିର୍ଦ୍ଦେଶନାମା ଜାରି ହୋଇଛି। ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ହାଇକୋର୍ଟ କାର୍ଯ୍ୟ ସୀମିତ ରହିବ ବୋଲି ଡେପୁଟି ରେଜିଷ୍ଟ୍ରାର (ବିଚାର ବିଭାଗ) ଏକ ନିର୍ଦ୍ଦେଶନାମାରେ ଜଣାଇଛନ୍ତି। ସପ୍ତାହର ସମସ୍ତ କାର୍ଯ୍ୟ ଦିବସ ମଧ୍ୟରୁ ଦୁଇଦିନ ଅର୍ଥାତ୍‌ ମଙ୍ଗଳବାର ଓ ବୁଧବାର ଦୁଇଜଣିଆ ଖଣ୍ଡପୀଠରେ ମାମଲାର ବିଚାର କରାଯିବ। ପ୍ରତେକ କାର୍ଯ୍ୟ ଦିବସରେ ୫ଜଣ ବିଚାରପତି ପୃଥକ୍‌ ପୃଥକ୍‌ ଭାବେ ଜଣକିଆ ଖଣ୍ଡପୀଠରେ ବିଚାର କରିବେ। ଦୁଇଜଣିଆ ଖଣ୍ଡପୀଠରେ ବିଚାର କରୁଥିବା ବିଚାରପତି ଦ୍ୱୟ ମଧ୍ୟ ପୃଥକ ଭାବେ ଜଣକିଆ ଖଣ୍ଡପୀଠରେ ବିଚାର କରିବେ। ଏହା ମେ’ ୪ରୁ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। କାଉଣ୍ଟର ଫାଇଲିଂ ପାଇଁ ଅଦାଲତ ପୂର୍ବାହ୍ନ ସାଢେ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଖୋଲା ରହିବ। ଆଇନଜୀବୀ କିମ୍ବା ଆବେଦନକାରୀମାନଙ୍କ ମଧ୍ୟରେ ସାମାଜିକ ଦୂରତା ରଖିବାକୁ କୁହାଯାଇଛି। ଏଥିସହ ଆବଶ୍ୟକ ସୁରକ୍ଷା ଯୋଗାଇ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କାର୍ଯ୍ୟ ଯେଭଳି ସୁରୁଖୁରୁରେ ଚାଲିପାରିବ, ସେଥିପାଇଁ ରୋଷ୍ଟର ଡ୍ୟୁଟି ଅନୁଯାୟୀ ୫୦ ପ୍ରତିଶତ କର୍ମଚାରୀଙ୍କୁ ଅଦାଲତ କାର୍ଯ୍ୟାଳୟରେ ଉପସ୍ଥିତ ରହିବାକୁ ସବୁ ବିଭାଗର କୋର୍ଟ ଅଧୀକ୍ଷକଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କାର୍ଯ୍ୟ ଦିବସରେ ଅଦାଲତରେ ସମସ୍ତ ବିଭାଗୀୟ ଅଧୀକ୍ଷକ ଜାଗ୍ରତ ରହିବାକୁ ହାଇକୋର୍ଟ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଅଫିସର, କର୍ମଚାରୀମାନେ କୋର୍ଟକୁ ମାସ୍କ ପିନ୍ଧି ଆସିବା ସହ ସାମାଜିକ ଦୂରତା ରଖିବେ। ଅଦାଲତର ପ୍ରବେଶ ଓ ପ୍ରସ୍ଥାନ ଦ୍ୱାରରେ ଥର୍ମାଲ ସ୍କାନିଂ, ହାତ ସଫା ପାଇଁ ସାନିଟାଇଜେଶନ ସାମଗ୍ରୀ ମହଜୁଦ ରହିବ। କୋର୍ଟର ବିଭିନ୍ନ ସାମଗ୍ରୀକୁ ବାରମ୍ବାର ରାସାୟନିକ ପ୍ରକ୍ରିୟାରେ ସାନିଟାଇଜେଶନ କରାଯିବ। ପ୍ରତ୍ୟେକ ଅଫିସର ଏବଂ କର୍ମଚାରୀ ସେମାନଙ୍କ ମୋବାଇଲ ଫୋନରେ ଆରୋଗ୍ୟ ସେତୁ ଇନ୍‌ଷ୍ଟଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।