ସୀମା ସିଲ୍‌ ସମ୍ଭବ ନୁହେଁ

ଭୁବନେଶ୍ୱର, ୨୨।୪(ବ୍ୟୁରୋ): ପଶ୍ଚିମବଙ୍ଗ ଫେରନ୍ତାଙ୍କ ଯୋଗୁ ରାଜ୍ୟରେ ଗତ ୨ଦିନ ଧରି କରୋନା ସଂକ୍ରମିତଙ୍କ ସଂଖ୍ୟା ବେଶ୍‌ ବୃଦ୍ଧି ପାଇଛି। ଯାହାକୁ ନେଇ ରାଜ୍ୟ ସରକାର ଚିନ୍ତାରେ ପଡ଼ିଯାଇଛନ୍ତି। ରାଜ୍ୟର ସୀମାବର୍ତ୍ତୀ ସମସ୍ତ ସ୍ଥଳଭାଗକୁ ସିଲ୍‌ କରିବା ସମ୍ଭବ ନୁହେଁ। ପୋଲିସ ମୁତୟନ କରାଗଲେ ଜାତୀୟ ବା ରାଜ୍ୟ ସଡ଼କରେ ଯାନବାହନ ଉପରେ ଆଖି ରଖାଯାଇପାରିବ। କିନ୍ତୁ ତାହା ସମ୍ଭବ ନୁହେଁ ବୋଲି କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ ମଙ୍ଗଳବାର କହିଛନ୍ତି। ସେ କହିଛନ୍ତି ଯେ, ଓଡ଼ିଶାର ସୀମାକୁ ୪ଟି ରାଜ୍ୟ ଯଥା ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଛତିଶଗଡ଼, ଆନ୍ଧ୍ରପ୍ରଦେଶ ଲାଗି ରହିଛି। ପଶ୍ଚିମବଙ୍ଗ ସୀମାକୁ ଓଡ଼ିଶାର ନିକଟସ୍ଥ ଜିଲା ବାଲେଶ୍ୱର ଏବଂ ମୟୂରଭଞ୍ଜ ଲାଗି ରହିଛି ଏବଂ ଏହାର ଅବଧି ବା ପରିଧି ପ୍ରାୟ ୨୦୨ କିଲୋମିଟର। ସେହିଭଳି ଝାଡ଼ଖଣ୍ଡ ସୀମାକୁ ମୟୂରଭଞ୍ଜ, କେନ୍ଦୁଝର ଏବଂ ସୁନ୍ଦରଗଡ଼ ଜିଲା ଲାଗି ରହିଛି। ଏହି ୩ଟି ଜିଲାର ପରିଧି ୫୯୧ କିଲୋମିଟର ରହିଛି। ଅନ୍ୟପଟେ ଛତିଶଗଡ଼ ସୀମାକୁ ଲାଗି ରହିଛି ଓଡ଼ିଶାର ୮ଟି ଜିଲା। ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରି। ଏହି ସୀମାର ପରିଧି ୧,୨୨୬ କିମି ରହିଛି। ସେହିଭଳି ଆନ୍ଧ୍ରପ୍ରଦେଶ ସୀମାକୁ ଲାଗି ରହିଥିବା ଓଡ଼ିଶାର ୫ଟି ଜିଲା ହେଉଛି କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି ଓ ଗଞ୍ଜାମ। ଯାହାର ପରିଧି ହେଉଛି ୧,୦୨୪ କିଲୋମିଟର। ଏହା ବ୍ୟତୀତ ସମୂଦ୍ରତଟ କଥା ଯଦି ଦେଖିବା, ତେବେ ଭୌଗୋଳିକ ତଥ୍ୟ ବ୍ୟବସ୍ଥା(ଜିଆଇଏସ୍‌) ମ୍ୟାପିଂ ଅନୁଯାୟୀ ପ୍ରାୟ ୫୨୨ କିମି ରହିଛି। ଏହି ସବୁ ସୀମାକୁ କୌଣସି ପୋଲିସ ଆରକ୍ଷୀ ଅଟକାଇ ପାରିବେ ନାହିଁ। କାରଣ ଏହି ସ୍ଥଳଭାଗ ସୀମା ଅଧିକାଂଶ ଜଙ୍ଗଲରେ ପରିପୂର୍ଣ୍ଣ। ତେଣୁ ଏହାକୁ ତନ୍ନତନ୍ନ କରି ଜଗିବା ସମ୍ଭବ ହେବ ନାହିଁ। ତେବେ ବର୍ତ୍ତମାନ ସ୍ଥିତିରେ ସୀମା ପାର ହୋଇ ଆସୁଥିବା ଲୋକଙ୍କୁ ସଙ୍ଗରୋଧ କରିବାକୁ ପଞ୍ଚାୟତ ପ୍ରତିନିଧିମାନେ ହିଁ ଆମ ବଳ। ତେଣୁ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬୭୯୮ ପଞ୍ଚାୟତ ପ୍ରତିନିଧିଙ୍କ ସହ ଭିଡିଓ କନଫରେନ୍ସିଂରେ କଥା ହୋଇ ସେମାନଙ୍କର ସହଯୋଗ ଲୋଡ଼ିବେ ବୋଲି ବାଗ୍‌ଚୀ କହିଛନ୍ତି।