Categories: ଜାତୀୟ

ସୀମା ବିବାଦ: ସମାଧାନ ପାଇଁ ରାଜି ହେଲେ ଭାରତ-ଚାଇନା

ନୂଆଦିଲ୍ଲୀ, ୭।୬: ଭାରତ ଏବଂ ଚାଇନା ମଧ୍ୟରେ ଜାରି ରହିଥିବା ସୀମା ବିବାଦର ସମାଧାନ ପାଇଁ ଉଭୟ ପକ୍ଷ ରାଜି ହୋଇଛନ୍ତି। ଶନିବାର ପୂର୍ବ ଲଦାଖରେ ଭାରତୀୟ ସେନା ଅଧିକାରୀମାନେ ପ୍ରତିପକ୍ଷ ଅଧିକାରୀଙ୍କ ସହିତ ବନ୍ଧୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ। ଏସମ୍ପର୍କରେ ଭାରତୀୟ ବହିର୍ବ୍ୟାପାର ବିଭାଗ ପକ୍ଷରୁ ରବିବାର ସୂଚନା ଦିଆଯାଇଛି। ଏହି ଅବସରରେ ୭୦ ବର୍ଷର ଭାରତ-ଚାଇନା ବନ୍ଧୁତ୍ୱପୂର୍ଣ୍ଣ କୂଟନୈତିକ ସମ୍ପର୍କ ବିଷୟରେ ଚର୍ଚ୍ଚା ହୋଇଥିଲା। ଦୁଇ ଦେଶ ମଧ୍ୟରେ ପ୍ରଥମେ ସିକିମ୍‌ ଏବଂ ପରେ ଲଦାଖ ଓ ଏଲ୍‌ଏସିକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା। ମେ ମାସରେ ଉଭୟପକ୍ଷଙ୍କ ମଧ୍ୟରେ ୩ ଥର ବିବାଦ ଦେଖାଦେଇଥିଲା। ପ୍ରଥମେ ମେ ୫ରେ ପୂର୍ବ ଲଦାଖର ପେଙ୍ଗାଙ୍ଗ୍‌ ହ୍ରଦଠାରେ ଉଭୟ ପକ୍ଷର ୨୦୦ରୁ ଅଧିକ ସୈନ୍ୟ ମୁହାଁମୁହିଁ ହୋଇଥିଲେ। ମେ ୯ରେ ଉତ୍ତର ସିକିମ୍‌ର ୧୬ ହଜାର ଫୁଟ ଉଚ୍ଚରେ ଥିବା ନାକୁଲା ସେକ୍ଟରରେ ଦୁଇପକ୍ଷର ୧୫୦ ସୈନ୍ୟ ମୁହାଁମୁହିଁ ହୋଇଥିଲେ। ସେହିଦିନ ଚାଇନା ଏଲ୍‌ଏସି ଭିତରକୁ ହେଲିକପ୍ଟର ପଠାଇଥିଲା। ଏସବୁ ଘଟଣାକୁ ନେଇ ସୀମାରେ ଉତ୍ତେଜନା ପ୍ରକାଶ ପାଇଥିଲା।

Share