ସୀମାରେଖା ଆରପାରେ

ଡ. ସୁବାସ ଚନ୍ଦ୍ର ପାତ୍ର
ସରକାରୀ ଚାକିରି ହେଉ ଅବା ଘରୋଇ, ସାମାଜିକ ଜୀବନ ହେଉ ଅବା ବ୍ୟକ୍ତିଗତ, କାର୍ଯ୍ୟଧାରାକୁ ଶୃଙ୍ଖଳିତ ତଥା ସୁସଂହତ କରିବା ପାଇଁ କିଛି ନୀତି, କିଛି ସୀମାରେଖା ନିର୍ଦ୍ଧାରଣ କରାଯାଇଥାଏ। ଆପାତ ଦୃଷ୍ଟିରୁ ବ୍ୟବସ୍ଥାଟି ଠିକ୍‌ ଜଣା ପଡୁଥିଲେ ହେଁ ପରବର୍ତ୍ତୀ ସମୟରେ ସୀମା ନାମରେ ମଣିଷ ଶଗଡ଼ଗୁଳାରେ ଚାଲିବାକୁ ଲାଗେ। ଏହି କ୍ରମରେ ଚାକିରି ହେଉ ଅବା ଜୀବନ ସବୁକିଛି ଭାରି ଅନାକର୍ଷଣୀୟ, ଗତାନୁଗତିକ ପରିଲକ୍ଷିତ ହୁଏ।
ମଣିଷ ସେତେବେଳେ ଆନ୍ଦୋଳିତ ଅନୁଭବ କରେ ଯେତେବେଳେ ସେ ଜାଣିବାକୁ ପାଏ ତଥାକଥିତ ସୀମାରେଖା ଓ ନୀତି ବାହାରକୁ ଯାଇ କିଏ କିଛି ନୂଆ କରି ଦେଖାଉଛି। ସରକାରୀ ଅଧ୍ୟାପକ ହୁଅନ୍ତୁ ବା ଡାକ୍ତର ବା ପ୍ରଶାସକ ଯେ ଯାଏ ସେ ସରକାରଙ୍କ ନୀତିନିୟମ ସାଧୁତାର ସହ ପାଳନ କରୁଛି ସେପର୍ଯ୍ୟନ୍ତ ସେ ଜଣେ ଶୃଙ୍ଖଳିତ କର୍ମଚାରୀ; ଭଲ ତଥା ଦକ୍ଷ କିନ୍ତୁ ବିରଳ ନୁହେଁ। ବିରଳତା ଆସେ ଯେତେବେଳେ ମଣିଷ କିଛିଟା ଏହି ସୀମାରେଖା ବାହାରକୁ ଚାଲିଯାଏ, ନିୟମକୁ ଅବମାନନା କରି ନୁହେଁ ବରଂ ବିବେକର ଆହ୍ବାନରେ, ନିଜର ଆତ୍ମାର ଆହ୍ବାନରେ। କେତୋଟି ସତ୍ୟ ଘଟଣା ଉପରେ ଦୃଷ୍ଟି ନିକ୍ଷେପ କରାଯାଇପାରେ।
ଷାଠିଏ ସତୁରି ଦଶକର କଥା। ସେତେବେଳେ ପାଠଶାଳା ଭିତରକୁ ଦୋକାନ ପଶି ନ ଥିଲା। ରସାୟନ ବିଜ୍ଞାନର ଜଣେ ପ୍ରଥିତଯଶା ଅଧ୍ୟାପକ ସେ। ସବୁବେଳେ ସେ କ୍ଲାସରେ କହନ୍ତି ”ଅନର୍ସ ପାଠ କ’ଣ କ୍ଲାସରେ ୪୫ ମିନିଟ ଭିତରେ ସରେ? ସେ ପୁଣି ଆଜି ଅଛି, କାଲି ନାହିଁ। ପାଠ ସମୁଦ୍ର ପରି, ବହୁତ ବ୍ୟାପକ, ଗଭୀର। ତାକୁ ଆୟତ୍ତ କରିବାକୁ ଦୀର୍ଘ ସମୟ ଦରକାର, ଧାରାବାହିକତା ଦରକାର। ମୁଁ ଘରେ ଗୋଟିଏ ବ୍ଲାକବୋର୍ଡ ଟାଙ୍ଗିଛି। ଯେଉଁମାନେ ଚାହଁ, ଆସିବ।“ ବର୍ଷ ପରେ ବର୍ଷ ବିିନା ପାରିଶ୍ରମିକରେ ସେ ନିରୋଳା ଜ୍ଞାନ ଦାନ ହିଁ କରୁଥିଲେ। ତା’ର ପ୍ରତିଫଳନ ଘଟୁଥିଲା ମହାବିଦ୍ୟାଳୟର ପରୀକ୍ଷା ଫଳରେ, ମହାବିଦ୍ୟାଳୟର ସୁନାମ ଅର୍ଜନରେ। ନିୟମକୁ ଆପାତ ବିରୋଧ କରୁଥିବା କାମ ଏତିକିରେ ଅଟକି ନ ଥିଲା। ଅନିବାର୍ଯ୍ୟ କାରଣବଶତଃ (ତନ୍ମଧ୍ୟରେ ଦାରିଦ୍ର୍ୟ) ବିଚକ୍ଷଣ ପିଲାଟିଏ ଫର୍ମ ପୂରଣ କରି ନ ଥିଲେ, ହଷ୍ଟେଲରେ ପଶି ତା’ କାନମୋଡ଼ି ଚାପୁଡ଼ା ଦେଇ କଲେଜକୁ ଘେନି ଆସୁଥିଲେ ଏବଂ ପକେଟରୁ ପଇସା ଦେଇ ତା’ପାଇଁ ଫର୍ମ ପୂରଣ କରୁଥିଲେ।
ଖାଲି ଅଧ୍ୟାପନା ନୁହେଁ ସବୁ ବୃତ୍ତିରେ ଏ ପ୍ରକାର ବିରଳତା ଦେଖିବାକୁ ମିଳିବ। ଜଣେ ସରକାରୀ ଡାକ୍ତର। କର୍ତ୍ତବ୍ୟ ନିର୍ଘଣ୍ଟ ବାହାରେ ନିଜ ଘରେ ଡାକ୍ତରବାବୁ ରୋଗୀ ଦେଖୁଥିଲାବେଳେ ଫୋନଟି ମଳିଲା। ପିଲାଟିର ବାପା ଡାକ୍ତରଙ୍କ ଅଳ୍ପ ପରିଚିତ। ପିଲାଟି କହୁଛି, ”ମୋ ଦେହ ଅସୁସ୍ଥ, ଭୟଙ୍କର ଡାଇରିଆ। ମୋତେ ଟିକେ ସାହାଯ୍ୟ କରନ୍ତୁ।“ ଡାକ୍ତରବାବୁ ତାକୁ ଔଷଧ ଲେଖିବାକୁ କାଗଜ କଲମ ଧରିବାକୁ କହିଲେ, ନଚେତ୍‌ ପାଖ ଔଷଧ ଦୋକାନ ଯାଇ ସେଠୁ ଫୋନ କରିବାକୁ କହିଲେ। ପିଲାଟି କହିଲା, ମୁଁ ପାଇଖାନା କବାଟ ପାଖରେ ପଡ଼ିଛି। ମୋ ପାଖରେ କଲମ ନାହିଁ କି ମୁଁ କୁଆଡ଼େ ଯାଇପାରିବିନି। ”ଆଉ ଖାଦ୍ୟ?“ ”ମୁଁ ଘରେ ଏକା, ବାପା ମା’ ନାହାନ୍ତି।“ ଦେଖୁଥିବା ରୋଗୀମାନଙ୍କୁ ଟିକେ ବସିବାକୁ କହି ଡାକ୍ତରବାବୁ ଚାଲି ଆସିଥିଲେ ସେ ପିଲା ଘରକୁ ଜୀବନର ବାର୍ତ୍ତାବହ ହୋଇ, ଔଷଧ ଓ ପଥ୍ୟ ଧରି। ଦିନକ ପରେ ବାପା, ମା’ ଫେରିଲା ପରେ ପିଲାଟି ଖାଲି କହିଥିଲା, ”ଡାକ୍ତରବାବୁଙ୍କ ଯୋଗୁ ମୁଁ ବଞ୍ଚି ରହିଛି।“
ଡାକ୍ତରବାବୁ ଯାହା କଲେ ତାହା ତାଙ୍କୁ ସରକାର ବା ସରକାରଙ୍କ ନୀତିନିୟମ କହି ନ ଥିଲା। ଅବଶ୍ୟ ଏ ଦୁଇଟି ଘଟଣା ବେଶ୍‌ ପୁରୁଣା। ଏବେ ସଦ୍ୟତମ ଘଟଣା ଦୁଇଟି ଦେଖାଯାଉ। ଅଳ୍ପ କେତେଦିନ ତଳର କଥା। ନବରଙ୍ଗପୁର ଜିଲାପାଳ ସରକାରୀ କାର୍ଯ୍ୟ ସାରି ଅଫିସ ଫେରୁଥାନ୍ତି। ରାସ୍ତାରେ ଏକ ଦିବ୍ୟାଙ୍ଗ ଦମ୍ପତିକୁ ଦୁଃସ୍ଥିତି ମଧ୍ୟରେ ଦେଖିବାକୁ ପାଇଲେ। ରାସ୍ତାକଡ଼ରେ ଗାଡ଼ି ରଖି ସେ ଦମ୍ପତିଙ୍କୁ ଭେଟିଲେ। ସେମାନଙ୍କ ଦୁଃଖସୁଖ ବୁଝିବା ସହ କିପରି ସେମାନେ ସରକାରୀ ଘର ତଥା ଅନ୍ୟାନ୍ୟ ସୁବିଧା ପାଇବେ ତା’ ବାଟ ବତେଇ ସେ ନିଜ ବାଟରେ ଚାଲିଗଲେ। ଅଧିକ ଆକର୍ଷଣୀୟ ଲାଗେ ମେଘାଳୟର ସେ ଆଇଏଏସ୍‌ ଅଧିକାରୀ ଜଣଙ୍କର ଉଲ୍ଲେଖଯୋଗ୍ୟ ବ୍ୟବହାର। ନିଜର ସାଧାରଣତ୍ୱ ପ୍ରତିପାଦନ କରିବା ପାଇଁ ପିଠିରେ ବାଉଁଶ ଟୋକେଇଟିଏ ବାନ୍ଧି ସ୍ତ୍ରୀଙ୍କ ସହ ପାଖାପାଖି ୧୦/୧୫ କି.ମି. ଚାଲିଚାଲି ଯାଆନ୍ତି ସପ୍ତାହକୁ ଥରେ ସହରର ନିକଟସ୍ଥ ଏକ ନିର୍ଦ୍ଦିଷ୍ଟ ହାଟକୁ ପରିବା ଓ ଫଳ କିଣିବା ପାଇଁ। ପରିବା ଓ ଫଳ କିଣିବା ସହ ପଲିଥିନ ମୁକ୍ତ ଜୀବନ ଜିଇବା ପାଇଁ ଲୋକଙ୍କୁ ବୁଝେଇ ଫେରନ୍ତି ଏବଂ ଏ ଯିବା ଆସିବାକୁ ଏକ ବ୍ୟାୟାମ ହିସାବରେ ମଧ୍ୟ ବ୍ୟବହାର କରନ୍ତି ନିଜକୁ ଫିଟ୍‌ ରଖିବା ପାଇଁ। କେତେଜଣ ଆଇଏଏସ୍‌ ଅଧିକାରୀଙ୍କ କ୍ଷେତ୍ରରେ ଏକଥା କହିହେବ? ତା’ ଛଡ଼ା ଏ କଥା କରିବା ପାଇଁ କୌଣସି ସରକାରୀ ନିୟମ ତାଙ୍କୁ ବାଧ୍ୟ କରିନାହିଁ। କେତେ ଗ୍ରହଣୀୟ ହେବ ସରକାରୀ ଯୋଜନାମାନ ଯେତେବେଳେ ତୃଣମୂଳସ୍ତରରେ ସରକାରଙ୍କ ପ୍ରତିନିଧି ଏହି ବାବୁ ବା ସାହେବ ବା ହାକିମମାନେ ଲୌହ ପରଦା ଭିତରୁ ବାହାରି ଆସି ନିଜକୁ ‘ଜନତାଙ୍କ ପାଇଁ’ ବୋଲି ସାବ୍ୟସ୍ତ କରିବେ।
ଖାଲି ଚାକିରି ନୁହେଁ ଜୀବନରେ ମଧ୍ୟ ଯେଉଁମାନେ ପ୍ରତ୍ୟାଶିତ ଚଳଣିର ଧାରା, ଜୀବନଯାତ୍ରା ଓ ଦୃଷ୍ଟିଭଙ୍ଗୀରୁ ହଟି କିଛି ଭିନ୍ନ କରି ବସନ୍ତି ସେହିମାନେ ହିଁ ଉଦାହରଣ ହୁଅନ୍ତି, ଆଦର୍ଶ ସାଜନ୍ତି। ଥିଲେ ଜଣେ ହରି ମଉସା। ଅତି ପରିଣତ ବୟସରେ ବି ନିଜ ପରିବାରର ତଥା ଅନ୍ୟମାନଙ୍କର ଖୁସି ହିଁ ଥିଲା ତାଙ୍କର କାମ୍ୟ। ଘର ଘର ବୁଲି ନିଜ ବାଡ଼ିରେ ଫଳିଥିବା ପରିବା ଓ ବିଲଗାଡ଼ିଆରୁ ଧରା ହୋଇଥିବା ମାଛ ବାଣ୍ଟି ଦେଇ ଆସିବା, ପୁଣି ମାଛଖଟା ପାଇଁ କାଳେ ଓଉ ଦରକାର ହେବ ତାକୁ ପରେ ପଠାଇବା- ଏ ସବୁ କରିବା ପାଇଁ ତାଙ୍କୁ କୌଣସି ସାମାଜିକ ସମ୍ବିଧାନ ବରାଦ କରି ନ ଥିଲା। ସମ୍ପୂର୍ଣ୍ଣ ନଇଁ ପଡ଼ିଥିଲେ ହରି ମଉସା। ଚାଲିଲା ବେଳେ ହାତ ଲାଗିଯାଉଥିଲା ମାଟିରେ। ଲୋକେ କହୁଥିଲେ ଧରଣୀ ମା’କୁ କୃତଜ୍ଞତା ଜଣାଇବାକୁ ସେ ମାଟିକୁ ପ୍ରଣାମ କରିକରି ଚାଲୁଥିଲେ। ଦିନେ ଉଦୁଉଦିଆ ଖରାରେ ସେ ଅନ୍ତର୍ଦ୍ଧାନ ହେଲେ। ପୁଅମାନେ ଖୋଜାଖୋଜି କରି ପରାସ୍ତ ଅନୁଭବ କରୁଥିଲା ବେଳେ ହାଜର ହେଲେ ମଉସା। ଅନ୍ତର୍ଦ୍ଧାନର କାରଣ ଥିଲା ଏହିପରି- ”ମହାପାତ୍ର ବାବୁଙ୍କ କୋଠାଘର ତିଆରି ହେଉଛି ତ, ଦୁଇ ଚାରିଟା ଇଟା ଓ ପଥର ଭାଙ୍ଗି ଦେଇ ଆସିଲି।“ ”ତାଙ୍କର କ’ଣ ମୂଲିଆ ନ ଥିଲେ?“ ”ସେ କଥା ନୁହଁ। ଆମର ତ ବନ୍ୟା, ବାତ୍ୟାଞ୍ଚଳ। ଇଟା ଦୁଇଟା ଭାଙ୍ଗି ଦେଇଥିଲେ ସେମାନେ ବନ୍ୟା ବା ବାତ୍ୟା ବେଳେ ମୋ ପୁଅ, ନାତିକୁ ଆଶ୍ରୟ ଦେବେ ଏହିକଥା ଭାବି ଯେ ବୁଢ଼ାଟା ଘର ତିଆରି ବେଳେ ଚାରିଟା ଇଟା ଭାଙ୍ଗି ଦେଇଥିଲା।“ ହରି ମଉସାଙ୍କ କାମ କେଉଁ ପୂର୍ବପୁରୁଷ ବା ସମାଜ ନିର୍ଦ୍ଧାରିତ ମାର୍ଗ?
ଜୀବନକୁ ବା ଆପଣେଇଥିବା ବୃତ୍ତିକୁ ସୁବିନ୍ୟସ୍ତ କରିବା ପାଇଁ କିଛି ନୀତି, ନିୟମ, ସୀମାରେଖା ରହିବା ବାଞ୍ଛନୀୟ। କିନ୍ତୁ ଅନେକ ସମୟରେ ସେ ନୀତି ବା ନିୟମ ମଣିଷକୁ ଶୃଙ୍ଖଳିତ କରିବା ପରିବର୍ତ୍ତେ ତାକୁ ବନ୍ଦୀକରେ। ଆଉ ଅପାରଗ ଲୋକଙ୍କ ପାଖରେ ନିୟମ ଏକ ଢାଲ। ତା’ରି ଆଢୁଆଳରେ ସେ ତା’ର ନିକମାପଣ ଜାରି ରଖେ। ଭାରି ସୁରକ୍ଷିତ ମଣେ ନିଜକୁ। ତେଣୁ ବ୍ୟବସ୍ଥାକୁ ଅଧିକ ଜନମନସ୍କ ତଥା ଜୀବନମନସ୍କ କରିବା ପାଇଁ ଯଦି କିଏ ମହତ୍‌ ଉଦ୍ଦେଶ୍ୟ ରଖି ସୀମାରେଖା ବାହାରକୁ ଚାଲିଯାଏ ତାଙ୍କୁ ସାମାଜିକ ତଥା ଆନୁଷ୍ଠାନିକ ସ୍ତରରେ ପ୍ରଶଂସା କରିବା ସହିତ ଏକ ଉଦାହରଣ ରୂପେ ଅନ୍ୟମାନଙ୍କ ଆଗରେ ଉପସ୍ଥାପନା କରିବା ଆବଶ୍ୟକ।
ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ, ଜେଲ ରୋଡ, ବାଲେଶ୍ୱର, ମୋ- ୯୪୩୭୩ ୭୬୨୧୯


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

ଇନ୍ଧନ ଓ ରନ୍ଧନ ସଙ୍କଟ

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେଲାଣି। ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ଇରାନକୁ କ୍ରୋଧିତ କରି ରଖିଛି। ତା’ର ପଡ଼ୋଶୀ ଦେଶ ସାଉଦି ଆରବ, କୁଏଟ,…

ନେପାଳରେ ଯୁବ ନେତୃତ୍ୱ

ଜୁନ୍‌ ୧, ୨୦୦୧ ଯେଉଁଦିନ ନେପାଳ ରାଜା ବୀରେନ୍ଦ୍ରଙ୍କୁ ତାଙ୍କ ପୁଅ ଦୀପେନ୍ଦ୍ର ଗୁଳିକରି ମା’ଙ୍କ ସମେତ ସମଗ୍ର ପରିବାରବର୍ଗଙ୍କୁ ହତ୍ୟା କରିଥିଲେ, ସେବେଠାରୁ ନେପାଳରେ ରାଜନୈତିକ…

ଅନ୍ଧବିଶ୍ୱାସ ରାସ୍ତାରେ ଏଆଇର ସ୍ବପ୍ନ

ଗାଲଗୋଟିଆ ବିଶ୍ବବିଦ୍ୟାଳୟର ଚାଇନା ରୋବୋ କୁକୁରକୁ ନେଇ ଧୂର୍ତ୍ତାମି ଓ ସମ୍ମିଳନୀ ଅବସରରେ ଯୁବ କଂଗ୍ରେସ କର୍ମୀଙ୍କର ଅର୍ଦ୍ଧନଗ୍ନ ପ୍ରତିବାଦକୁ ନେଇ ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬’ର…

ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି

ସ୍ବାଧୀନତାର ଦୀର୍ଘ ଦଶନ୍ଧି ପରେ ଭାରତ ତଥା ବିଶ୍ୱରେ ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି ନାହିଁ ତାହାର ସମୀକ୍ଷା ଆବଶ୍ୟକ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଅନୁଯାୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri