Categories: ଜାତୀୟ

ସୀମାପାର୍‌ ଟ୍ରେନ, ବସ୍‌ ସେବା ବାତିଲ

ନୂଆଦିଲ୍ଲୀ, ୧୪।୩(ପି.ଟି.): କରୋନା ଭାଇରସ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଶୁକ୍ରବାର ଭାରତ ପକ୍ଷରୁ ବାଂଲାଦେଶକୁ ସୀମାପାର୍‌ ବସ୍‌ ଓ ଟ୍ରେନ୍‌ ସେବା ମାସକ ଲାଗି ଏପ୍ରିଲ ୧୫ ପର୍ଯ୍ୟନ୍ତ ବାତିଲ କରାଯାଇଛି। ପଡ଼ୋଶୀ ୪ ଦେଶକୁ ସଂଯୋଗ କରୁଥିବା ୧୮ ଇମିଗ୍ରେଶନ ଚେକ୍‌ପୋଷ୍ଟକୁ ବନ୍ଦ କରିଦିଆଯାଇଛି। ତେବେ ମାଲବାହୀ ଟ୍ରେନ ସେବା ପୂର୍ବ ଭଳି ଜାରି ରହିବ ଓ କର୍ତ୍ତାରପୁର କରିଡରରୁ ଗୁରୁଦ୍ୱାର ଦରବାର ସାହିବକୁ ଭାରତୀୟ ତୀର୍ଥଯାତ୍ରୀଙ୍କ ଯାତ୍ରା ଆଗ ଭଳି ଚାଲିବ ବୋଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଅନିଲ ମଲିକ ପ୍ରକାଶ କରିଛନ୍ତି। ଆସାମ, ବିହାର, ମେଘାଳୟ, ମିଜୋରାମ, ତ୍ରିପୁରା, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ ଦେଇ ବାଂଲାଦେଶ, ଭୁଟାନ, ନେପାଳ, ମ୍ୟାନ୍‌ମାରକୁ ଲାଗିଥିବା ୧୯ ଚେକ୍‌ପୋଷ୍ଟ ଖୋଲା ରହିବ। ନେପାଳ ଓ ଭୁଟାନ ନାଗରିକଙ୍କ ଲାଗି ଭିଜାମୁକ୍ତ ପ୍ରବେଶ ଆଗଭଳି ରହିବ। ଚେକ୍‌ପୋଷ୍ଟ ଓ ବିମାନବନ୍ଦରରେ ସମସ୍ତ ଯାତ୍ରୀଙ୍କୁ ମେଡିକାଲ ସ୍କ୍ରିନିଂ କରାଯିବା ବାଧ୍ୟତାମୂଳକ କରାଯାଇଥିବା ମଲିକ କହିଛନ୍ତି। କରୋନା ସଂକ୍ରମଣ ଇଟାଲୀ ଓ ଇରାନ୍‌ରେ ଥିବା ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବା ଲାଗି ପଦକ୍ଷେପ ଗ୍ରହଣ କରାଯାଉଥିବା ଅଧିକାରୀମାନେ ପ୍ରକାଶ କରିଛନ୍ତି।

Share