Categories: କନ୍ଧମାଳ

ସିସିଟିଭି ନଜରରେ ରହିବ ଫୁଲବାଣୀ ସହର

ଫୁଲବାଣୀ ଅଫିସ, ୮ା୨ -ଏଥର ସାବାଡ ହେବେ ଦ୍ରୁତଗତିରେ ଗାଡି ଚଳାଉଥିବା ଚାଳକ। ବ୍ୟାଙ୍କ ସମ୍ମୁଖ ସମେତ ସହରର ବିଭିନ୍ନ ସ୍ଥାନରେ ଚୋରି ଏବଂ ଛିନ୍‌ତାଇ କରି ଖସି ଯାଉଥିବା ଅପରାଧୀ ଆଉ ଖସିବା ସମ୍ଭବ ହେବ ନାହିଁ । କାରଣ ସମଗ୍ର ସହର ଏଥର ସିସିଟିଭି ଅଧିନରେ ରହିବ ।
ଫୁଲବାଣୀ ସହରରେ ସିସିଟିଭି ଲାଗିବା ନେଇ ବହୁ ଆଗରୁ ଦାବି ହୋଇ ଆସୁଥିଲା । ଏହା ନ ଥିବାରୁ ଚୋରି, ଡକାୟତି ଆଦି ବଢ଼ି ଚାଲିଥିଲା । ଗତ ସଡକ ସୁରକ୍ଷା କମିଟି ବୈଠକରେ ସହରର ପ୍ରମୁଖ ସ୍ଥାନରେ ସିସିଟିଭି ଲାଗିବା ନେଇ ପ୍ରସ୍ତାବ ଗୃହୀତ ହୋଇଥିଲା। ଏହାପରେ ସରକାରଙ୍କୁ ପ୍ରସ୍ତାବ ଦିଆ ଯାଇଥିଲା। ଏବେ ଜିଲା ଓ ପୋଲିସ ପ୍ରଶାସନ ପକ୍ଷରୁ ଏହି କାର୍ଯ୍ୟ ଆରମ୍ଭ ହୋଇଛି ା ସହରର ଗୋଗପନ୍ଧୁ ଛକ, ବସ୍‌ ଷ୍ଟାଣ୍ଡ, ଏଫ୍‌ସିଆଇ ଛକ, ଜଗନ୍ନାଥ ମନ୍ଦିର ଛକ, ପେଟ୍ରୋଲ ପମ୍ପ ଛକ, ମାଦିକୁନ୍ଦା ଛକ, କଲେଜ ଛକ, ଷ୍ଟେଟ ବ୍ୟାଙ୍କ ସମ୍ମୁଖ, କୋର୍ଟ ଛକରେ ସିସି ଟିଭି ଲାଗିବ। ଶୁକ୍ରବାର ଏହି ପ୍ରକ୍ରିୟା ଆରମ୍ଭ ହୋଇଛି ା ଏସ୍‌ପି ପ୍ରତୀକ ଗୀତା ସିଂ ଉପସ୍ଥିତ ରହି ଏହାର ତଦାରଖ କରୁଛନ୍ତି। ସମସ୍ତ ସିସିଟିଭିର କଣ୍ଟ୍ରୋଲ ରୁମ ଫୁଲବାଣୀ ଟାଉନ ଥାନାରେ ରହିବ।