ସିଲ୍‌ ହେଲା ହୋଟେଲ ଦେବଭୂମି

ପୁରୀ ଅଫିସ,୨୫ା୩: କରୋନା ଭାଇରସ୍‌ର ଭୟାବହତାକୁ ଦେଖି ରାଜ୍ୟ ସରକାର ସବୁ ଜିଲାକୁ ଲକ୍‌ଡାଉନ ଘୋଷଣା କରିଛନ୍ତି। ଲକ୍‌ଡାଉନ ବେଳେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି ହେଉଥିବା ଦୋକାନ ଖୋଲିବା ପାଇଁ ଅନୁମତି ରହିଛି। କିନ୍ତୁ ଏହି ନିୟମକୁ ନ ମାନି ବଳିଆପଣ୍ଡାସ୍ଥିତ ହୋଟେଲ ଦେବଭୂମି ଖୋଲାଯିବା ସହ ପ୍ରଶାସନକୁ ନ ଜଣାଇ ୩ଜଣ ବିଦେଶୀ ପର୍ଯ୍ୟଟକଙ୍କୁ ରଖାଯାଇଥିଲା। ଫଳରେ ମଙ୍ଗଳବାର ପ୍ରଶାସନ ଏହି ହୋଟେଲକୁ ସିଲ୍‌ କରିଛି। ପ୍ରଶାସନର ନିୟମ ଅବମାନନା କରିବା ଅଭିଯୋଗରେ ହୋଟେଲ ଦେବଭୂମି ବିରୋଧରେ ବଳିଆପଣ୍ଡା ଥାନାରେ ମାମଲା ରୁଜୁ କରାଯାଇଛି। ଅତିରିକ୍ତ ତହସିଲଦାର ସରୋଜ କୁମାର ସ୍ବାଇଁଙ୍କ ଏତଲା ଭିତ୍ତିରେ ଏଭଳି ପଦକ୍ଷେପ ନିଆଯାଇଛି। ସମ୍ପୃକ୍ତ ୩ ବିଦେଶୀ ପର୍ଯ୍ୟଟକଙ୍କୁ ପ୍ରଶାସନ ହେପାଜତରେ ନିଆଯାଇ ଭୁବନେଶ୍ୱର ବିମାନବନ୍ଦରରେ ଛଡ଼ାଯାଇଛି। ଏମାନଙ୍କ ମଧ୍ୟରୁ ଜଣେ ଜର୍ମାନୀ ଓ ୨ଜଣ ୟୁକ୍ରେନର ବୋଲି ଜିଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି।