ସିରି ଏ ପୁନଃ ଆରମ୍ଭକୁ ବିଳମ୍ବିତ କଲେ ଇଟାଲୀ ପ୍ରଧାନମନ୍ତ୍ରୀ

ରୋମ,୨୭।୪(ଏଏଫ୍‌ପି): କୋଭିଡ-୧୯ ମହାମାରୀ ଦ୍ୱାରା ସଂଘାତିକ ଭାବେ ପ୍ରଭାବିତ ହୋଇଥିବା ଇଟାଲୀରେ ସିରି ଏ ଫୁଟବଲ ଲିଗ୍‌କୁ ବିଳମ୍ବିତ କରାଯାଇଛି। ସିରି ଏ’ର ପୁନଃ ଆରମ୍ଭକୁ ଇଟାଲୀ ପ୍ରଧାନମନ୍ତ୍ରୀ ଗିଉସେପ କୋଣ୍ଟେ ବିଳମ୍ବିତ କରିଛନ୍ତି। ତେବେ ଦେଶରେ ଆଗଧାଡିର ଆଥଲେଟମାନଙ୍କୁ ଟ୍ରେନିଂ ଆରମ୍ଭ କରିବା ନେଇ ସେ ସବୁଜ ସଙ୍କେତ ଦେଇଛନ୍ତି। ଦେଶରେ କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ଲକ୍‌ଡାଉନ ଜାରି ରହିଛି। ଏହି ଲକ୍‌ଡାଉନ୍‌ରୁ ଦେଶ କିପରି ମୁକୁଳିବ ସେ ନେଇ କୋଣ୍ଟେ ନିଜର ବିଚାର ସମ୍ପର୍କ ସମସ୍ତଙ୍କୁ ଅବଗତ କରିଛନ୍ତି। ଏହି ଭାଇରସ କାରଣରୁ ଇଟାଲୀରେ ୨୬, ୦୦୦ ଲୋକ ଓ ସାରା ବିଶ୍ୱରେ ୨,୦୦,୦୦୦ ଲୋକ ପ୍ରାଣ ହରାଇଲେଣି।
ମେ ୪ରୁ ବ୍ୟକ୍ତିଗତ ଭାବେ ଆଥଲେଟମାନେ ସେମାନଙ୍କର ଟ୍ରେନିଂ ଆରମ୍ଭ କରିପାରିବେ ବୋଲି ସେ ସ୍ପଷ୍ଟ କରିଛନ୍ତି। ତେବେ ମାର୍ଚ୍ଚ ୯ ତାରିଖରେ ସିରି ଏ ଫୁଟବଲକୁ କରୋନା ଭାଇରସ କାରଣରୁ ସ୍ଥଗିତ ରଖାଯାଇଥିଲା। ତେବେ ପୁଣି ଏହାକୁ କେବେ ଆରମ୍ଭ କରାଯିବ ସେ ନେଇ କୋଣ୍ଟେ କିଛି କହିନାହାନ୍ତି। ଏହି ଫୁଟବଲ ଲିଗ୍‌ରେ ଜୁଭେଣ୍ଟସ୍‌ ସର୍ବାଧିକ ପଏଣ୍ଟ ପାଇଁ ଶୀର୍ଷରେ ରହିଛି। ଗୋଟିଏ ପଏଣ୍ଟ କମ୍‌ ପାଇଁ ଲାଜିଓ ଦ୍ୱିତୀୟ ସ୍ଥାନରେ ରହିଛି। ତେବେ ଯେତେବେଳେ ପରିବେଶ ସମ୍ପୂର୍ଣ୍ଣ ରୂପେ ନିରାପଦ ହେବ ସେତେବେଳେ ସିରି ଏ ଆରମ୍ଭ କରାଯିବ ବୋଲି କୋଣ୍ଟେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ସ୍ପଷ୍ଟ କରିଛନ୍ତି। ଜୁନ୍‌ ୩୦ରେ ଶେଷ ହେବାକୁ ଥିବା ସିରି ଏ ସେସନ ଅଗଷ୍ଟ ୨ ତାରିଖରେ ଶେଷ ହେବ ବୋଲି ଇଟାଲୀୟ ଫୁଟବଲ ମୁଖ୍ୟ ଆଶା ପ୍ରକାଶ କରି କହିଛନ୍ତି।

Share