ସିରିଜ୍‌ ଦୁର୍ଘଟଣା ଘଟାଇ ହେଉଥିଲେ ଫେରାର: ୩ ଯୁବକ, ଜଣେ ଯୁବତୀ ଅଟକ

ଖୋର୍ଦ୍ଧା ଅଫିସ,୨୮।୭: ମଉଜମସ୍ତିର ସୀମା ଟପିବା ଡାକି ଆଣିଛି ବିପତ୍ତି। ଫସିଛନ୍ତି ଚନ୍ଦ୍ରଶେଖରପୁର, ପଟିଆ, ଶୈଳଶ୍ରୀବିହାରର ୩ ଯୁବକ, ଜଣେ ଯୁବତୀ। ସିରିଜ୍‌ ଦୁର୍ଘଟଣା ଘଟାଇ କାରରେ ଫେରାର ହୋଇ ଯାଉଥିବା ଏହି ଯୁବତୀଯୁବକଙ୍କୁ ଭାଗ୍ୟ ସାଥ ଦେଇ ନ ଥିଲା। ଶନିବାର ଅପରାହ୍ନରେ କାରଟି ଦ୍ରୁତବେଗରେ ଯିବା ସମୟରେ ଖୋର୍ଦ୍ଧା ସହରର ଗୁରୁଜଙ୍ଗସ୍ଥିତ କୃଷି ବିଭାଗର ଫାର୍ମ ନିକଟସ୍ଥ ବିଲ ଭିତରକୁ ପଶି ଯାଇଥିଲା। ପିଛା କରୁଥିବା ଲୋକେ ବିଲ କାଦୁଅ ଭିତରେ ପଶି ଯବତୀଯୁବକଙ୍କୁ କାର ଭିତରୁ ଭିଡି ଆଣି ନିସ୍ତୁକ ମାଡ଼ ମାରିଥିଲେ। ତେବେ ବିଲ ଭିତରୁ ଆଣିବା ପରେ ଗୁରୁଜଙ୍ଗ ରାସ୍ତା ପ୍ରାୟ ୨୦ ମିନିଟ୍‌ ଧରି ଅବରୋଧ ହୋଇଯାଇଥିଲା। ସେଠାରେ କିଛି ସମୟ ଚାପା ଉତ୍ତେଜନା ଦେଖାଦେଇଥିଲା। ତେବେ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ।
ପ୍ରାପ୍ତ ସୂଚନା ଅନୁସାରେ, ଚନ୍ଦ୍ରଶେଖରପୁର, ପଟିଆ, ଶୈଳଶ୍ରୀବିହାରର ୩ ଯୁବକ, ଜଣେ ଯୁବତୀ ଏକ କାର (ନଂ. କେଏ ୦୩ ଏଇ ୬୬୮୩) ଯୋଗେ ଶନିବାର ନୟାଗଡ ଜିଲାର ସାତକୋଶିଆ ଅଭୟାରଣ୍ୟ ବୁଲିବାକୁ ଯାଇଥିଲେ। ସେଠାରୁ ବୁଲାବୁଲି କରି ଫେରୁଥିବାବେଳେ କଣ୍ଟିଲୋଠାରୁ ଖୋର୍ଦ୍ଧା ସଦର ମହକୁମା ମଧ୍ୟରେ ଏକାଧିକ ଦୁର୍ଘଟଣା ଘଟାଇଥିଲେ। କଣ୍ଟିଲୋ, ବେଗୁନିଆ, ବାଘମାରୀ, ପୁବୁସାହି, ଖୋର୍ଦ୍ଧା ଅଞ୍ଚଳରେ ପ୍ରାୟ ୧୨ରୁ ଊର୍ଦ୍ଧ୍ୱ ଦୁର୍ଘଟଣା ଘଟାଇଥିଲେ ସୁଦ୍ଧା ନିକଟସ୍ଥ ଥାନାରେ ମଧ୍ୟ ଆତ୍ମସମର୍ପଣ କରି ନ ଥିଲେ। ସେମାନେ ଖୋର୍ଦ୍ଧା ଭୁବନେଶ୍ୱର ରାସ୍ତାରେ ନ ଯାଇ ଖୋର୍ଦ୍ଧାରୁ ଗୁରୁଜଙ୍ଗ ରାସ୍ତାରେ ପଳାଇ ଯିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଲୋକେ କାରକୁ ପିଛା କରିବା ଛାଡି ନ ଥିଲେ। ତେଣୁ ଭୟରେ ଦ୍ରୁତଗତିରେ ଯାଉଥିବାବେଳେ ଭାରସାମ୍ୟ ହରାଇ କାରଟି ଗୁରୁଜଙ୍ଗସ୍ଥିତ କୃଷି ବିଭାଗର ଫାର୍ମରେ ଥିବା ବିଲ ଭିତରକୁ ପଶି ଯାଇଥିଲା। ହେଲେ କାରଟି ଓଲଟି ନ ଥିଲା। ଅନ୍ୟପକ୍ଷେ ବିଭିନ୍ନ ସ୍ଥାନରେ ଦୁର୍ଘଟଣା ହେବା ଦ୍ୱାରା ଧୀରେ ଧୀରେ କାରଟି ଭାଙ୍ଗିରୁଜି ନଷ୍ଟ ହୋଇଯାଇଥିଲା। କାରଟିର କାଚ ଗୁଡିକ ଭାଙ୍ଗି ଯାଇଥିବା ବେଳେ ଆଗ ଚକ ଫାଟି ଯାଇଛି । ଦୁର୍ଘଟଣାରେ ନୟାଗଡରୁ ଖୋର୍ଦ୍ଧା ଜିଲା ମଧ୍ୟରେ ଜଣେ ଖବରଦାତା, କାଉଡିଆଙ୍କ ସମେତ ୧୨ ଜଣ ସାମାନ୍ୟ ଆହତ ହୋଇ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି। ଲୋକଙ୍କ କବଳରୁ ଦୁର୍ଘଟଣା ଘଟାଇଥିବା ୪ ଯୁବତୀଯୁବକଙ୍କୁ ପୋଲିସ ଉଦ୍ଧାର କରି ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି।