ସିମେଣ୍ଟ ଫ୍ୟାକ୍ଟ୍ରିକୁ ଶୁଖିଲା ପ୍ଲାଷ୍ଟିକ୍‌ ବର୍ଜ୍ୟ ବିକିବ ବିଏମ୍‌ସି

ଭୁବନେଶ୍ୱର, ୨୨ା୧୦:ସହରର ପରିମଳ ବ୍ୟବସ୍ଥାକୁ ସୁଧାରିବାକୁ ଅଣ୍ଟା ଭିଡ଼ିଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)। ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର (ଏମ୍‌ସିସି) ପରେ ସବୁ ଠିକା ସଂସ୍ଥାକୁ ସଫେଇ କରିବା ନେଇ ତାଗିଦ୍‌, ଆଉ ଏବେ ଆରମ୍ଭ ହେବାକୁ ଯାଉଛି ମ୍ୟାଟେରିଆଲ ରିକଭରି ଫ୍ୟାସିଲିଟି (ଏମ୍‌ଆର୍‌ଏଫ୍‌) ସେଣ୍ଟର। ଏଥିରେ ଶୁଖିଲା ବର୍ଜ୍ୟକୁ କମ୍ପୋଷ୍ଟ କରାଯିବ ଓ ଶୁଖିଲା ପ୍ଲାଷ୍ଟିକ୍‌ ବର୍ଜ୍ୟକୁ ଅଲଗା କରାଯିବ। ପରେ ଏହି ଶୁଖିଲା ପ୍ଲାଷ୍ଟିକ ବର୍ଜ୍ୟକୁ ରାଜ୍ୟରେ ଥିବା ସିମେଣ୍ଟ ଫ୍ୟାକ୍ଟ୍ରିଗୁଡ଼ିକୁ ବିକ୍ରି କରାଯିବ ବୋଲି ସିଟି ଇଞ୍ଜିନିୟର ଦେବ ସୁନ୍ଦର ମହାପାତ୍ର କହିଛନ୍ତି।
ତାଙ୍କ ସୂଚନାନୁସାରେ, ଏମ୍‌ଆର୍‌ଏଫ୍‌ ସେଣ୍ଟର ପାଇଁ ସହରରେ ୧୦ ସ୍ଥାନ ଚିହ୍ନଟ କରାଯାଇଛି। ଇତିମଧ୍ୟରେ ଗୋଟିଏ ସେଣ୍ଟର କାମ ଟିଟିଏସ୍‌ ପଦ୍ଧତିରେ ଆରମ୍ଭ ହୋଇସାରିଥିବାବେଳେ ଅନ୍ୟ ୯ଟି ପାଇଁ ସପ୍ତାହ ମଧ୍ୟରେ ଟେଣ୍ଡର କରାଯିବ। ପ୍ରତି ସ୍ଥାନରେ ୫ ଟନ୍‌ର ମେଶିନ ୟୁଏନ୍‌ଡିପି ଦ୍ୱାରା ବସାଯିବ ଓ କୋର ଗ୍ରୁପ୍‌ ଏନ୍‌ଜିଓ ଦ୍ୱାରା ଏହା ପରିଚାଳିତ ହେବ। ଏହା କାର୍ଯ୍ୟକ୍ଷମ ହେବାପରେ ବାହାରୁଥିବା ପ୍ଲାଷ୍ଟିକକୁ ଭୁବନେଶ୍ୱର ନିକଟରେ ଥିବା ସିମେଣ୍ଟ ଫ୍ୟାକ୍ଟ୍ରିକୁ ବିକ୍ରି କରାଯିବ। ଏଥିପାଇଁ ଓ୍ବାର୍ଡ ନଂ. ୩୬, ୪୪, ୫୬, ୬୭, ୬୨, ୫୦, ୬୫, ୧୬ରେ ଗୋଟିଏ ଲେଖାଏ ସ୍ଥାନ ଚିହ୍ନଟ କରାଯାଇଥିବାବେଳେ ଓ୍ବାର୍ଡ ନଂ.୧୧ ଅସ୍ଥାୟୀ ଟ୍ରାଞ୍ଜିଟ୍‌ ଷ୍ଟେଶନ୍‌ ନିକଟରେ ଦୁଇଟି ସେଣ୍ଟରର ନିର୍ମାଣ ହେବ। ଘରୁ ସଂଗୃହୀତ କେବଳ ଶୁଖିଲା ପ୍ଲାଷ୍ଟିକ୍‌ ବର୍ଜ୍ୟକୁ ଏମ୍‌ଆର୍‌ଏଫ୍‌ ସେଣ୍ଟରକୁ ଅଣାଯିବ। ପ୍ଲାଷ୍ଟିକ୍‌ ବ୍ୟତୀତ ଅନ୍ୟ ଶୁଖିଲା ବର୍ଜ୍ୟକୁ ସଂଗ୍ରହକାରୀମାନେ ବାହାରେ ବିକ୍ରି କରି ପଇସା ପାଇପାରିବେ ବୋଲି ଇଞ୍ଜିନିୟର ମହାପାତ୍ର କହିଛନ୍ତି। ପରିମଳ ଅଧିକାରୀ ତଥା ଡେପୁଟି କମିଶନର ଶୁଭେନ୍ଦୁ ସାହୁ କହିଛନ୍ତି, ଏମ୍‌ଆର୍‌ଏଫ୍‌କୁ ଏମ୍‌ସିସି ସହ ଆରମ୍ଭ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଆସନ୍ତା ଡିସେମ୍ବର ଶେଷ ସୁଦ୍ଧା ଏହାକୁ କାର୍ଯ୍ୟକ୍ଷମ କରିବାକୁ ବିଏମ୍‌ସି ଚେଷ୍ଟା କରୁଛି। ବର୍ଜ୍ୟ ସଂଗ୍ରହ ପାଇଁ ଜରିଗୋଟାଳିଙ୍କ ସହ ଆଲୋଚନା ହୋଇଛି। ପ୍ଲାଷ୍ଟିକ ବର୍ଜ୍ୟକୁ ଅଲଗା କରି ବିଏମ୍‌ସିକୁ କିଲୋ ପିଛା ୧୮ ଟଙ୍କାରେ ବିକ୍ରି କରିବେ। ଏମ୍‌ଆର୍‌ଏଫ୍‌ରେ କାର୍ଯ୍ୟ କରିବା ପାଇଁ ଜରିଗୋଟାଳିଙ୍କୁ ବଛାଯାଇ ବିଭିନ୍ନ ଗ୍ରୁପ୍‌ କରାଯାଇଛି ବୋଲି ସେ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ସ୍ବଚ୍ଛ ସର୍ବେକ୍ଷଣରେ ବିଏମ୍‌ସି ଗତ ୩ବର୍ଷ ହେବ ବହୁ ପଛରେ ରହୁଛି। ସହରକୁ ସ୍ବଚ୍ଛତାରେ ଆଗକୁ ରଖିବା ଉଦ୍ଦେଶ୍ୟରେ ଏହି ପରିମଳଭିତ୍ତିକ ଯୋଜନା କାର୍ଯ୍ୟକାରୀ କରିବାକୁ ବିଏମ୍‌ସି ଚିନ୍ତା କରିଛି। ଏଥିପାଇଁ ସହରବାସୀଙ୍କ ସହଯୋଗ ଲୋଡ଼ିଛି ବିଏମ୍‌ସି।

ସ୍ଥିତପ୍ରଜ୍ଞ ମିଶ୍ର