ସିମନବାଡ଼ିରେ ଭାରତମାତା ପୂଜନ ଉତ୍ସବ, ସାଂସ୍କୃତିକ କାର୍ଯ୍ୟକ୍ରମ

ଦାରିଙ୍ଗବାଡ଼ି,୨୬।୧(ଡି.ଏନ.ଏ)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ଶିବ ମନ୍ଦିର ପ୍ରାଙ୍ଗଣରେ ରବିବାର ଏକ ନିଆରା ଢ଼ଙ୍ଗରେ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି। ସକାଳୁ ଜାତୀୟ ପତକା ଉତ୍ତୋଳନ ସହ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଯୋଗଦେବାକୁ ୨୫ ତାରିଖରୁ ଜିଲା ତଥା ରାଜ୍ୟ ବାହାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି। ରବିବାର ଭୋରରେ ରାମଧୁନ ପରେ ସଭାମଞ୍ଚରେ ଭଜନକୀର୍ତ୍ତନ ସହ ଭାରତମାତାଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ପରେ ପୂଜାର୍ଚ୍ଚନା କରାଯାଇଥିଲା। ସକାଳ ୯ଟାରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ସେହିପରି ସ୍ଥାନୀୟ ଜନଜାତି ପରମ୍ପରା ନୃତ୍ୟ କଳା ସହ ଢ଼ୋଲ ମହୁରୀ ବଜାଇ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ସହ ବଳଭଦ୍ର, ସୁଭଦ୍ରାଙ୍କ ମୂର୍ତ୍ତିକୁ ଶୋଭାଯାତ୍ରାରେ ସହର ପରିକ୍ରମା କରାଯାଇଥିଲା। ସମସ୍ତ ଗ୍ରାମବାସୀଙ୍କ ଘର ଦାଣ୍ଡରେ ପୂଜାର୍ଚ୍ଚନା କରାଯାଇ ଭାରତମାତାଙ୍କୁ ସ୍ବାଗତ କରାଯାଇଥିଲା। ଏହି ଅବସରରେ ସିମନବାଡ଼ି ଚଳଚଞ୍ଚଳ ହୋଇଥିଲା। ସେହିପରି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସାମାଜିକ ସଂସ୍କାର ଆଣୁଥିବା ବ୍ୟକ୍ତି ବିଶେଷଙ୍କୁ ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା। ଯୁବପିଢୀଙ୍କୁ ସାମାଜିକ ସୁରକ୍ଷା ସହ ନୈତିକ ଓ ସାମଜିକ ଶିକ୍ଷା ପ୍ରଦାନ ପାଇଁ ପ୍ରତିବର୍ଷ ଏଭଳି କାର୍ଯ୍ୟକ୍ରମ ସିମନବାଡ଼ି ଠାରେ ଅଞ୍ଚଳବାସୀଙ୍କ ସହଯୋଗ ଏବଂ ସଂସ୍କାର ଭାରତୀ ଦ୍ୱାରା ଆୟୋଜନ ହୋଇଆସୁଛି। ‘ମାଇଁ ଡ୍ରିମ୍‌ କନ୍ଧମାଳ’ ଯୋଜନାକୁ ସଫଳ କରିବାକୁ ପ୍ରତିବର୍ଷ ଏହି କାର୍ଯ୍ୟକ୍ରମ କରାଯାଇ ଲୋକଙ୍କୁ ସଚେତନ କରାଯାଉଥିବା ଜଣାପଡ଼ିଛି। ଆଞ୍ଚଳିକ କଳାକାରଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଛି। କାର୍ଯ୍ୟକ୍ରମକୁ ନିରଞ୍ଜନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ମୋହନ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ବିନ୍ଧାଣୀ, ସରୋଜ କୁମାର ସାହୁ, ସୁଦର୍ଶନ ପ୍ରଧାନ, ବିକ୍ରମ କୁମାର ନାୟକ, ବିଚିତ୍ର ପ୍ରଧାନ, ଫ୍ରାଞ୍ଚତ୍ସ ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ।