ସିଭିଲ ହସ୍ପିଟାଲକୁ କାଳକୋଠରି କହିଥିବା ବିଚାରପତିଙ୍କୁ ବେଞ୍ଚ୍‌ରୁ ହଟାଗଲା

ନୂଆଦିଲ୍ଲୀ,୩୦ା୫: କରୋନା ସଂକ୍ରମିତଙ୍କ ଚିକିତ୍ସା କରୁଥିବା ଅହମଦାବାଦର ସିଭିଲ ହସ୍ପିଟାଲ କାଳକୋଠରିଠାରୁ ନିକୃଷ୍ଟ ବୋଲି କହିଥିବା ବିଚାରପତି ଇଲେଶ ଭୋରାଙ୍କୁ କୋଭିଡ୍‌ ମାମଲା ବିଚାର କରୁଥିବା ଗୁଜରାଟ ହାଇକୋର୍ଟ ବେଞ୍ଚ୍‌ରୁ ଗୁରୁବାର ହଟାଇଦିଆଯାଇଛି। ଗତ ୨୨ ତାରିଖରେ ଉକ୍ତ ଖଣ୍ଡପୀଠ ଦେଇଥିବା ରାୟରେ ଗୁଜରାଟ ସରକାରଙ୍କ କୋଭିଡ୍‌-୧୯ ପରିଚାଳନାଗତ ତ୍ରୁଟିକୁ କଡ଼ା ସମାଲୋଚନା କରାଯାଇଥିଲା। ସଂକ୍ରମିତଙ୍କ ସଂଖ୍ୟାକୁ ମନୁଷ୍ୟକୃତ ଭାବେ କମ୍‌ ଦେଖାଇବା ପାଇଁ ଘରୋଇ ଲାବ୍‌ରେ ପରୀକ୍ଷା ପାଇଁ ଅନୁମତି ଦିଆଯାଉ ନ ଥିବା କହି ଏଥିପାଇଁ ଖଣ୍ଡପୀଠ ଉପମୁଖ୍ୟମନ୍ତ୍ରୀ ତଥା ସ୍ବାସ୍ଥ୍ୟମନ୍ତ୍ରୀ ନୀତୀନ ପଟେଲ ଏବଂ ବରିଷ୍ଠ ଆଇଏଏସ୍‌ମାନଙ୍କୁ ପ୍ରଶ୍ନ କରିଥିଲେ। କୋଭିଡ୍‌ ପରିଚାଳନା ସମ୍ପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି କରିବାକୁ ଥିବା ନୂଆ ବେଞ୍ଚ୍‌ରେ ମୁଖ୍ୟ ବିଚାରପତି ବିକ୍ରମନାଥ ସିଂଙ୍କ ସହ ଜଷ୍ଟିସ ଜେ.ବି. ପର୍ଡିଓ୍ବାଲା ରହିଛନ୍ତି। ଜଷ୍ଟିସ୍‌ ଭୋରାଙ୍କୁ ଜଷ୍ଟିସ୍‌ ଛାୟାଙ୍କ ନେତୃତ୍ୱାଧୀନ ଖଣ୍ଡପୀଠକୁ ବଦଳି କରାଯାଇଛି। ସେ ଅନ୍ୟ ମାମଲାର ଶୁଣାଣି କରିବେ।

Share