ସିଭିଲ୍‌ ହସ୍ପିଟାଲର ଅବସ୍ଥା କାଳକୋଠରୀଠାରୁ ଅଧିକ ଖରାପ: ଗୁଜରାଟ ହାଇକୋର୍ଟ

ଅହମଦାବାଦ,୨୪।୫: ଗୁଜରାଟରେ କରୋନା ମହାମାରୀ ଯୋଗୁ ପ୍ରତିଦିନ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦେଶରେ କରୋନା ସଂକ୍ରମଣ ପ୍ରଭାବିତ ରାଜ୍ୟ ତାଲିକାରେ ଗୁଜରାଟ ତୃତୀୟ ସ୍ଥାନରେ ରହିଛି। ଏଠାରେ ଇତିମଧ୍ୟରେ ୧୩ ହଜାରରୁ ଅଧିକ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେହିପରି କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟାରେ ମହାରାଷ୍ଟ୍ର ଆଗରେ ଥିବାବେଳେ ଏହାପଛକୁ ଗୁଜରାଟର ସ୍ଥାନ ରହିଛି। ରାଜ୍ୟରେ କରୋନା ସଂକ୍ରମିତଙ୍କ ଚିକିତ୍ସା ନେଇ ଗୁଜରାଟ ହାଇକୋର୍ଟ ସରକାରଙ୍କୁ ଭର୍ସନା କରିଛନ୍ତି। ରାଜ୍ୟରେ ଥିବା ସିଭିଲ୍‌ ହସ୍ପିଟାଲର ଅବସ୍ଥା ଜେଲ୍‌ର କାଳକୋଠରୀଠାରୁ ଅଧିକ ଖରାପ ବୋଲି ହାଇକୋର୍ଟ କହିଛନ୍ତି। କୋଭିଡ୍‌-୧୯କୁ ନେଇ ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ବିଚାରପତି ଜେ.ବି. ପର୍ଦିଓ୍ବାଲା ଏବଂ ଇଲେଶ ଭୋରାଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଏଭଳି କହିଛନ୍ତି। ସିଭିଲ୍‌ ହସ୍ପିଟାଲର ଅବସ୍ଥାକୁ ଖଣ୍ଡପୀଠ ପକ୍ଷରୁ ବୁଡୁଥିବା ଟାଇଟାନିକ୍‌ ଜାହାଜ ସହିତ ତୁଳନା କରାଯାଇଛି। ସିଭିଲ୍‌ ହସ୍ପିଟାଲରେ ବର୍ତ୍ତମାନ ସୁଦ୍ଧା ୩୭୭ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ରାଜ୍ୟରେ ଘଟିଥିବା ମୋଟ କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟାର ଏହା ୪୫ ପ୍ରତିଶତ ବୋଲି କୁହାଯାଉଛି। ସିଭିଲ୍‌ ହସ୍ପିଟାଲର ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟ ସଚିବ ପଙ୍କଜ କୁମାର, ସଚିବ ମିଲନ୍ଦ ତରଓ୍ବାନେ ଏବଂ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରମୁଖ ସଚିବ ଜୟନ୍ତୀ ରାବିଙ୍କୁ ଏନେଇ ଖଣ୍ଡପୀଠଙ୍କ ପକ୍ଷରୁ ଜବାବ ତଲବ କରାଯାଇଛି। ହସ୍ପିଟାଲର ସ୍ଥିତି ସମ୍ପର୍କରେ ସ୍ବାସ୍ଥ୍ୟମନ୍ତ୍ରୀ ନୀତିନ ପଟେଲ ଏବଂ ମୁଖ୍ୟ ସଚିବ ଅନୀଲ୍‌ ମୁକିମ୍‌ ଅବଗତ ଅଛନ୍ତି କି ନାହିଁ ସେ ନେଇ ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି। ସୂଚନାଯୋଗ୍ୟ, ସିଭିଲ୍‌ ହସ୍ପିଟାଲରେ ଆବଶ୍ୟକ ସଂଖ୍ୟକ ଭେଣ୍ଟିଲେଟର ନ ଥିବାରୁ କରୋନା ସଂକ୍ରମିତଙ୍କ ଚିକିତ୍ସାରେ ବାଧା ଉପୁଜୁଥିବା କୁହାଯାଉଛି।

Share