Categories: ଜାତୀୟ

ସିବିଆଇ ହେପାଜତରେ ରହିବାକୁ ଚାହୁଁଛନ୍ତି ଚିଦାମ୍ବରମ୍‌

ନୂଆଦିଲ୍ଲୀ,୩୦।୮: ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ସିବିଆଇ ହେପାଜତରେ ସେପ୍ଟେମ୍ବର ୨ ଯାଏ ରହିବାକୁ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍‌ ଗୁରୁବାର ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି । ଶୁକ୍ରବାର ଚିଦାମ୍ବରମ୍‌ଙ୍କ ରିମାଣ୍ଡ ଅବଧି ଶେଷ ହେଉଥିବାରୁ ସନ୍ଧ୍ୟାରେ ତାଙ୍କୁ ସ୍ବତନ୍ତ ସିବିଆଇ କୋର୍ଟରେ ହାଜର କରାଯିବ। ତେବେ ଗୁରୁବାର ଚିଦାମ୍ବରମ୍‌ଙ୍କ ପକ୍ଷରୁ କରାଯାଇଥିବା ଆବେଦନ ଏବେ ସମସ୍ତଙ୍କୁ ଚକିତ କରିଛି। ସୂଚନାଯୋଗ୍ୟ, ଶୁକ୍ରବାର ଯଦି ସିବିଆଇ ଅଧିକ ରିମାଣ୍ଡ ପାଇଁ ଆବେଦନ ନ କରେ, ତେବେ ବିଚାର ବିଭାଗୀୟ ହାଜତକୁ ନେଇ କଂଗ୍ରେସର ବରିଷ୍ଠ ନେତା ଚିଦାମ୍ବରମ୍‌ଙ୍କୁ ତିହାର ଜେଲ୍‌କୁ ପଠାଇ ଦିଆଯିବାର ସମ୍ଭାବନା ରହିଛି। ତେଣୁ ଏଥିରୁ ବର୍ତ୍ତିବା ପାଇଁ ସେ ଏଭଳି ଆବେଦନ କରିଥିବା ନେଇ ଚର୍ଚ୍ଚା ହେଉଛି। ଗତ ଅଗଷ୍ଟ ୨୧ରେ ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ସିବିଆଇ ଚିଦାମ୍ବରମ୍‌ଙ୍କୁ ଗିରଫ କରିଥିଲା।

Share