ସିନେଟରଙ୍କ ସ୍ତ୍ରୀଙ୍କୁ ଭୁଲ ମାଗିଲେ ମୋଦି

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୩।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ରବିବାର ଆମେରିକାର ହ୍ୟୁଷ୍ଟନଠାରେ ‘ହାଓଡି ମୋଦି’ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ତେବେ ବିଶ୍ୱରେ ମୋଦିଙ୍କ ଲୋକପ୍ରିୟତା କାହାକୁ ଅଛପା ନାହିଁ। ବ୍ୟବହାର ଦୃଷ୍ଟିରୁ ମୋଦିଙ୍କୁ କାହା ସହିତ ତୁଳନା କରାଯାଇ ପାରେ ନାହିଁ ବୋଲି କୁହାଯାଏ। କାରଣ ଖୁବ୍‌ ନମ୍ର ବ୍ୟବହାରରେ ସେ ପରକୁ ଆପଣାର କରିବାର କଳା ବହନ କରନ୍ତି। ରବିବାର ‘ହାଓଡି ମୋଦି’ କାର୍ଯ୍ୟକ୍ରମରେ ଯୋଗଦେବା ବେଳେ ତାଙ୍କ ସହ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ବହୁ ସିନେଟର ମଧ୍ୟ ଯୋଗ ଦେଇଥିଲେ। ଏମାନଙ୍କ ମଧ୍ୟରେ ଥିଲେ ଟେକ୍ସାସର ସିନେଟର ଜନ୍‌ କର୍ନିନ୍‌ ଓ ତାଙ୍କ ସ୍ତ୍ରୀ ସ୍ୟାଣ୍ଡି। ଏମାନେ ମୋଦିଙ୍କ ସହ କଥା ହେବା ପୂର୍ବରୁ ମୋଦି ସିନେଟରଙ୍କ ସ୍ତ୍ରୀ ସ୍ୟାଣ୍ଡିଙ୍କୁ ଭୁଲ ମାଗିଥିଲେ। ଯାହାକୁ ଦେଖି ପ୍ରଥମେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ହେଲେ ମୋଦି କ’ଣ ପାଇଁ ଭୁଲ୍‌ ମାଗିଥିଲେ ତାହା ବୁଝାଇ ଦେବା ପରେ ସମସ୍ତଙ୍କ ମୁହଁରେ ସ୍ମିତ ହାସ୍ୟ ଦେଖିବାକୁ ମିଳିଥିଲା। ଘଟଣା ଥିଲା ରବିବାର ସ୍ୟାଣ୍ଡିଙ୍କ ଜନ୍ମଦିନ ଥିଲା। ତେଣୁ ସେ ସେଦିନ ସ୍ବାମୀ ଜନ୍‌ଙ୍କ ସହ ପାର୍ଟିରେ ବ୍ୟସ୍ତ ନ ରହି ମୋଦିଙ୍କ କାର୍ଯ୍ୟକ୍ରମକୁ ଆସିଥିବାରୁ ମୋଦି ତାଙ୍କୁ ପ୍ରଥମେ ‘ସରି’ ବୋଲି କହିଥିଲେ। ଆଉ ମୋଦିଙ୍କର ଏହି ବ୍ୟବହାର ସମସ୍ତଙ୍କ ମନକୁ ଛୁଇଁ ଯାଇଥିଲା।

Share