ସିଟି ହସ୍ପିଟାଲ ଦାବି: ଦୋକାନବଜାର ବନ୍ଦକଲେ ସହରବାସୀ

ବରଗଡ଼ ଅଫିସ,୩।୨:  ସହରରେ ରହିଥିବା ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାକୁ ସିଟି ହସ୍ପିଟାଲ ଘୋଷଣା ଦାବିରେ ଅସନ୍ତୋଷର ନିଆଁ ଲିଭିବାର ନାଁ ନେଉ ନାହିଁ। ଏହି ଦାବି ନେଇ ସୋମବାର ସକାଳୁ ବରଗଡ଼ ସହରବାସୀ ଦୋକାନ, ବଜାରକୁ ସ୍ବତଃସ୍ଫୁର୍ତ୍ତ ଭାବେ ବନ୍ଦ କରିଛନ୍ତି। ସେହିପରି ସହରର ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନା ସମେତ ବିଭିନ୍ନ ଛକରେ ରାସ୍ତା ଅବରୋଧ ମଧ୍ୟ କରାଯାଇଛି। ଫଳରେ ସହରରେ ଜୀବନଯାତ୍ରା ପ୍ରଭାବିତ ହୋଇଛି। ତେବେ ସହରରେ ରହିଥିବା ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାକୁ ସିଟି ହସ୍ପିଟାଲ ଘୋଷଣା ନ କରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସହରବାସୀ ଚେତାବନୀ ଦେଇଛନ୍ତି।
ସୂଚନାଯୋଗ୍ୟ, ଗତମାସ ୨୧ ତାରିଖ ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାକୁ ଭଟଲି ବ୍ଲକ ଅନ୍ତର୍ଗତ ଟୁକୁର୍ଲାଡ (ଖେଦାପାଲି)କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ। ଏହାପରେ ଗତ ୩୧ତାରିଖରୁ ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାରୁ ସମସ୍ତ ଯନ୍ତ୍ରପାତି, ଶଯ୍ୟା ସେଠାକୁ ସ୍ଥାନାନ୍ତର କରାଯାଇ ଥିବାବେଳେ ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାରେ ଅନ୍ତର୍ବିଭାଗ ଓ ବହିର୍ବିଭାଗ ସ୍ବାସ୍ଥ୍ୟସେବା ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି। ଗତ ତିନିଦିନ ହେଲା ଏଠାରେ ସିଟି ହସ୍ପିଟାଲ ଦାବି ନେଇ ଆନ୍ଦୋଳନ ତେଜି ଉଠିଛି। ଅନ୍ୟପକ୍ଷରେ ବର୍ତ୍ତମାନ ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାକୁ ରାଜ୍ୟ ସରକାର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର (ପିଏଚସି) ଘୋଷଣା କରି ସାରିଥିବାବେଳେ ସିଟି ହସ୍ପିଟାଲ ଦାବିରେ ସହରବାସୀ ଅଡ଼ି ବସିଛନ୍ତି।