Categories: ଜାତୀୟ

ସିଟିଇଟିରେ ଆର୍ଥିକ ଦୁର୍ବଳଙ୍କ ଲାଗି ୧୦% ସଂରକ୍ଷଣ ଆବେଦନ:କେନ୍ଦ୍ର, ସିବିଏସ୍‌ଇ, ଏନ୍‌ସିଟିଇକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୭।୫(ପି.ଟି.):କେନ୍ଦ୍ରୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ସିଟିଇଟି), ୨୦୧୯ରେ ଆର୍ଥିକ ଦୁର୍ବଳ ଶ୍ରେଣୀ (ଇଡବ୍ଲ୍ୟୁଏସ୍‌)ଙ୍କ ନିମନ୍ତେ ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ ଲାଗି ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଗୁରୁବାର କେନ୍ଦ୍ର ସରକାର, ସିବିଏସ୍‌ଇ(କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ)କୁ ଜବାବ ମାଗିଛନ୍ତି। ଏହାବ୍ୟତୀତ ଜଷ୍ଟିସ୍‌ ଇନ୍ଦିରା ବାନାର୍ଜୀ ଏବଂ ସଞ୍ଜୀବ ଖାନ୍ନାଙ୍କୁ ନେଇ ଗଠିତ ଅବସରକାଳୀନ ଖଣ୍ଡପୀଠ ଜାତୀୟ ଶିକ୍ଷକ ଶିକ୍ଷା ପରିଷଦ(ଏନ୍‌ସିଟିଇ)କୁ ମଧ୍ୟ ନୋଟିସ ଜାରି କରିଛନ୍ତି। ପରବର୍ତ୍ତୀ ଶୁଣାଣି ଜୁଲାଇ ୧ ତାରିଖ ସୁଦ୍ଧା ନୋଟିସର ଜବାବ ରଖିବାକୁ ସେମାନଙ୍କୁ କୁହାଯାଇଛି।
ସିଟିଇଟି, ୨୦୧୯ ପରୀକ୍ଷା ଦେବା ଲାଗି ଆଗ୍ରହୀ ୬ ଜଣ ପ୍ରାର୍ଥୀଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ସମ୍ବିଧାନ ସଂଶୋଧନ କରି ସରକାର ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ସାଧାରଣ ବର୍ଗର ଆର୍ଥିକ ଦୁର୍ବଳ ଶ୍ରେଣୀଙ୍କ ନିମନ୍ତେ ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ଆରମ୍ଭ କରିଥିଲେ। ସଂଶୋଧିତ ଆଇନ ଗତ ଜାନୁୟାରୀ ୧୬ରୁ ଲାଗୁ ହୋଇଛି। ସଂରକ୍ଷଣ ସୁବିଧା ଦିଆଗଲେ ପରୀକ୍ଷାରେ କୃତକାର୍ଯ୍ୟ ହେବେ ବୋଲି ଆବେଦନକାରୀଙ୍କ ଓକିଲ କହିଛନ୍ତି।
ସିଟିଇଟି ପରୀକ୍ଷା ପରିଚାଳନା ଲାଗି ସିବିଏସ୍‌ଇ କର୍ତ୍ତୃପକ୍ଷ ଗତ ଜାନୁୟାରୀ ୨୩ରେ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଏଥିରେ ଇଡବ୍ଲ୍ୟୁଏସ୍‌ ପ୍ରାର୍ଥୀଙ୍କ ନିମନ୍ତେ ୧୦ ପ୍ରତିଶତ ସଂରକ୍ଷଣ ସୁବିଧା ସମ୍ପର୍କରେ ଉଲ୍ଲେଖ କରାଯାଇ ନ ଥିଲା। ପରୀକ୍ଷାରେ କୃତକାର୍ଯ୍ୟ ହେବା ଲାଗି ସଂରକ୍ଷଣ ସୁବିଧା ଦିଆଯାଇପାରିବ ନାହିଁ ବୋଲି ଗତ ୧୩ ତାରିଖ ଶୁଣାଣିବେଳେ ସୁପ୍ରିମକୋର୍ଟ ମତ ଦେଇଥିଲେ। କେବଳ ନାମଲେଖା ସମୟରେ ସଂରକ୍ଷଣ ସୁବିଧା ମିଳିପାରିବ।

Share