Categories: ଜାତୀୟ

ସିକିମ୍‌ରେ ସରକାର ଗଠନ ଲାଗି ଏସ୍‌କେଏମ୍‌ର ଦାବି

ଗାଙ୍ଗଟକ୍‌,୨୬ା୫(ପି.ଟି.): ସିକିମ୍‌ କ୍ରାନ୍ତିକାରୀ ମୋର୍ଚ୍ଚା (ଏସ୍‌କେଏମ୍‌)ର ଏକ ପ୍ରତିନିଧି ଦଳ ଏହାର ଅଧ୍ୟକ୍ଷ ପି.ଏସ୍‌. ଗୋଲେଙ୍କ ନେତୃତ୍ୱରେ ଶନିବାର ରାଜ୍ୟପାଳ ଗଙ୍ଗାପ୍ରସାଦଙ୍କୁ ଭେଟି ପରବର୍ତ୍ତୀ ସରକାର ଗଠନ ନେଇ ଦାବି ଉପସ୍ଥାପନ କରିଛନ୍ତି। ତେବେ ନବନିର୍ବାଚିତ ବିଧାୟକ ଦଳ ନେତା କିଏ ତାହା ଏପର୍ଯ୍ୟନ୍ତ ଏସ୍‌କେଏମ୍‌ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ। ୨୦୧୩ରେ ଗଠନ ହୋଇଥିବା ଏସ୍‌କେଏମ୍‌ ୩୨ ଆସନ ବିଶିଷ୍ଟ ସିକିମ ବିଧାନସଭାରେ ୧୭ ଆସନରେ ବିଜୟୀ ହୋଇଥିବା ବେଳେ ଶାସକ ସିକିମ ଡେମୋକ୍ରାଟିକ୍‌ ଫ୍ରଣ୍ଟ (ଏସ୍‌ଡିଏଫ୍‌)କୁ ୧୫ ଆସନ ମିଳିଛି। ପରବର୍ତ୍ତୀ ସରକାର ଗଠନ ଲାଗି ଏସ୍‌କେଏମ୍‌କୁ ଆମନ୍ତ୍ରଣ କରିବା ଲାଗି ରାଜ୍ୟପାଳଙ୍କୁ ଭେଟି ଅନୁରୋଧ କରିଥିବା ଗୋଲେ ଗଣମାଧ୍ୟମକୁ କହିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରସଙ୍ଗରେ ଖୁବ୍‌ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ସେ ସୂଚନା ଦେଇଥିଲେ। ନିଷ୍ପତ୍ତି ନେବା ଦାୟିତ୍ୱ ଗୋଲେଙ୍କୁ ଦିଆଯାଇଥିବା ଦଳ ସୂତ୍ରରୁ ଜଣାପଡିଛି। ସେ ନିର୍ବାଚନ ଲଢ଼ି ନ ଥିଲେ ମଧ୍ୟ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବା ଦଳ ଚାହୁଁଛି।
ସିକିମ ବିଧାନସଭା ନିର୍ବାଚନରେ ଏସ୍‌ଡିଏଫ୍‌ର ପରାଜୟ ପରେ ଦୀର୍ଘ ୨୪ ବର୍ଷ ଧରି ମୁଖ୍ୟମନ୍ତ୍ରୀ ରହିଆସିଥିବା ପଓ୍ବନ କୁମାର ଚାମ୍‌ଲିଙ୍ଗ ବିରୋଧୀ ଦଳ ନେତା ଭୂମିକା ତୁଲାଇବାକୁ ପ୍ରସ୍ତୁତ ଥିବା ଶନିବାର କହିଛନ୍ତି। ଜନସାଧାରଣଙ୍କ ରାୟକୁ ସେ ସମ୍ମାନ ଜଣାଇଛନ୍ତି। ୧୯୯୪ ଡିସେମ୍ବରରୁ ଚାମଲିଙ୍ଗ୍‌ ସିକିମ ମୁଖ୍ୟମନ୍ତ୍ରୀ ରହିଆସିଥିଲେ।

Share