Categories: ଜାତୀୟ

ସିଏଏ ବିରୋଧରେ ବିପକ୍ଷ ମେଳି ଆଜି

ନୂଆଦିଲ୍ଲୀ,୧୩ା୧ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ଏବଂ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ବିରୋଧରେ ସୋମବାର ଅପରାହ୍ନରେ ବିରୋଧୀ ଦଳଗୁଡ଼ିକ ଏକାଠି ହେବାର କାର୍ଯ୍ୟକ୍ରମ ରହିଛି। ଏହି ବୈଠକରେ ଛାତ୍ର ଆନ୍ଦୋଳନ ପରବର୍ତ୍ତୀ ସାମ୍ପ୍ରତିକ ରାଜନୈତିକ ସ୍ଥିତି ସମ୍ପର୍କରେ ମଧ୍ୟ ଆଲୋଚନା କରାଯିବ। ଏହି ବୈଠକ ମାଧ୍ୟମରେ ବିରୋଧୀ ସେମାନଙ୍କ ଶକ୍ତି ପ୍ରଦର୍ଶନ କରିବା ଆଶା କରାଯାଉଛି। ତେବେ ଏଥିରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ସୁପ୍ରିମୋ ମାୟାବତୀ ଯୋଗଦେବେନି ବୋଲି ଏକ ସୂତ୍ରରୁ ଜଣାପଡିଛି। ୮ ତାରିଖ ଟ୍ରେଡ ୟୁନିୟନର ଭାରତ ବନ୍ଦ ବେଳେ ବାମଦଳ ଓ ତୃଣମୂଳ କଂଗ୍ରେସ ସଦସ୍ୟମାନଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଏଥିରେ କ୍ଷୁବ୍ଧ ମମତା ବିରୋଧୀଙ୍କ ବୈଠକରେ ସାମିଲ ହେବେନାହିଁ ବୋଲି କହିଥିଲେ। ସେହିପରି ରାଜସ୍ଥାନର କୋଟା ହସ୍ପିଟାଲରେ ଶିଶୁ ମୃତ୍ୟୁକୁ ନେଇ ମାୟାବତୀ ନିକଟରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଉପରେ ବର୍ଷିଥିଲେ। କୋଟାରେ ଏତେସଂଖ୍ୟାରେ ଶିଶୁଙ୍କ ମୃତ୍ୟୁ ହେବା ସତ୍ତ୍ୱେ ସେଠାକୁ ଯାଇ ମାଆମାନଙ୍କୁ ସମବେଦନା ଜଣାଇବାକୁ କଂଗ୍ରେସ ନେତ୍ରୀ ପ୍ରିୟଙ୍କାଙ୍କ ପାଖରେ ସମୟ ନାହିଁ। ସେ ରାଜନୈତିକ ସ୍ବାର୍ଥ ଓ କୁମ୍ଭୀରକାନ୍ଦଣା ପାଇଁ ଉତ୍ତରପ୍ରଦେଶ ଆସି ଆହତଙ୍କ ପରିବାରକୁ ଭେଟୁଛନ୍ତି ବୋଲି ବିଏସ୍‌ପି ନେତ୍ରୀ କହିଥିଲେ। ଶନିବାର କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକରେ ସୋନିଆ ସିଏଏକୁ ବିରୋଧ କରିଥିଲେ। ସରକାର ତୁରନ୍ତ ସିଏଏ ପ୍ରତ୍ୟାହାର କରିନେବା ସହ ଏନ୍‌ପିଆର ପ୍ରକ୍ରିୟା ବନ୍ଦ କରିବାକୁ କଂଗ୍ରେସ ପକ୍ଷରୁ ଦାବି କରାଯାଇଥିଲା।

Share