Categories: ଜାତୀୟ

ସିଆଚେନ ହସ୍ପିଟାଲକୁ ଉପହାରରେ ମିଳିଲା ଅକ୍ସିଜେନ ପ୍ଲାଣ୍ଟ

ଜମ୍ମୁ,୫।୧୦: ବିଶ୍ୱର ସବୁଠାରୁ ଉଚ୍ଚ ଯୁଦ୍ଧକ୍ଷେତ୍ର ସିଆଚେନ ଗ୍ଲାସିୟରରେ ଭାରତୀୟ ଯବାନ ଜୀବନକୁ ବାଜି ଲଗାଇ ମାତୃଭୂମୀର ରକ୍ଷା କରିଥାଆନ୍ତି। ପ୍ରାୟ ୨୨ହଜାର ଫୁଟ ଉପରେ ଥିବା ସିଆଚେନ ଗ୍ଲାସିୟରରେ ଅକ୍ସିଜେନର ପରିମାଣ କମ୍‌ ରହିଥାଏ। ଫଳରେ ବେଳେବେଳେ ଯବାନମାନେ ଶୋଇଥିବା ଅବସ୍ଥାରେ ସେମାନଙ୍କର ମୃତ୍ୟୁ ମଧ୍ୟ ହୋଇଥାଏ। ଏବେ ସେଠାକାର ହସ୍ପିଟାଲକୁ ଉପହାର ସ୍ବରୂପ ଏକ ଅକ୍ସିଜେନ ପ୍ଲାଣ୍ଟ ମିଳିଥିବା ଜଣାପଡିଛି। ମହାରାଷ୍ଟ୍ରର ପୁଣେ ସ୍ଥିତ ଏକ ଏନ୍‌ଜିଓ ‘ସୋଲଜର୍ସ ଇଣ୍ଡିପେଣ୍ଡେଟ ରିହାବିଲିଟେଶନ ଫାଉଣ୍ଡେଶନ’ ପକ୍ଷରୁ ଏହି ଅକ୍ସିଜେନ ପ୍ଲାଣ୍ଟକୁ ଉପହାର ଭାବେ ଦିଆଯାଇଛି। ଏହି ଏନ୍‌ଜିଓର ସଂସ୍ଥାପକ ଦମ୍ପତି ସୁମେଧା ଓ ଯୋଗେଶ ଚିତାଡେ ଟଙ୍କା ଯୋଗାଡ କରିବା ପାଇଁ ନିଜ ଗହଣା ବିକିଦେଇଥିବା ସୂଚନା ରହିଛି। ଫାୟାର ଆଣ୍ଡ ଫ୍ୟୁରି କ୍ରପର ଜିସିଓ ଲେପ୍ଟନାଣ୍ଟ ଜେନରାଲ ଓ୍ବାଇ ଯୋଶୀ ଏନ୍‌ଜିଓର ସଂସ୍ଥାପକ ଯୋଗେଶ ଚିତାଡେଙ୍କ ଉପସ୍ଥିତିରେ ଏହି ପ୍ଲାଣ୍ଟର ଉଦ୍‌ଘାଟନ କରିଥିବା ଜଣାପଡିଛି। ସେନାର ଏହି ହସ୍ପିଟାଲ ପ୍ରତାପପୁର ନିକଟରେ ଅବସ୍ଥିତ। ଏହା କେବଳ ଯେ ଭାରତୀୟ ଯବାନଙ୍କ ପାଇଁ ଉଦ୍ଦିଷ୍ଟ ତା’ନୁହେଁ ଏଥିରେ ସାଧାରଣ ଜନତା ଓ ପର୍ଯ୍ୟଟକଙ୍କୁ ମଧ୍ୟ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି।

Share