Categories: ଫୁରସତ

ସିଂହ ଧରିବା ଲାଗି ନାକେଦମ ହେଲା ପୋଲିସ, ହେଲେ ଧରାପଡ଼ିଲା କୁକୁର

ଚାରିଆଡେ ଚର୍ଚ୍ଚା ହୋଇଗଲା ସହରରେ ସିଂହ ବୁଲୁଛି। ପୋଲିସ ବି ଧରିବା ଲାଗି ସଜାଗ ହୋଇଗଲା। ହେଲେ ଯାଞ୍ଚ ପରେ ଜଣାପଡ଼ିଲା ପଶୁଟି ସିଂହ ନୁହେଁ ବରଂ ଏକ କୁକୁର। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସ୍ପେନର ମୋଲିନା ଡେ ସେଗୁରା ସହରରେ। ସେଠାକାର ପୋଲିସ ଏ ସଂକ୍ରାନ୍ତରେ ଏକ ଟୁଇଟ୍‌ କରିବା ପରେ ଏହା ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଉକ୍ତ ସହରରେ ଏକ ସିଂହ ବୁଲୁଥିବା ନେଇ ପୋଲିସକୁ ଫୋନରେ ଖବର ମିଳିଥିଲା। ଏହା ଜାଣିବା ପରେ ପୋଲିସ ସିଂହକୁ କାବୁ କରିବାକୁ ଯୋଜନା କରିଥିଲା। କିଛି ଦିନ ନାକେଦମ ହେବା ପରେ ପୋଲିସ ପଶୁଟିକୁ ଧରିବାରେ ସଫଳ ହୋଇଥିଲା। ହେଲେ ତା’ର ଶରୀରରେ ଲାଗିଥିବା ଏକ ମାଇକ୍ରୋଚିପ୍‌କୁ ସ୍କାନ କରାଯିବା ସମୟରେ ଅଦ୍ଭୁତ କଥା ସାମ୍ନାକୁ ଆସିଥିଲା। ସେଇଟି ହେଲା, ପଶୁଟି ଏକ ପୋଷା କୁକୁର ଥିଲା। ସେ ବିଶାଳକାୟ ଥିବା ବେଳେ ଲୋମଗୁଡ଼ିକୁ କାଟି ତାକୁ ସିଂହର ରୂପ ଦିଆଯାଇଥିଲା। ଫଳରେ ଯେ କେହି ତାକୁ ଦେଖି ସିଂହ ବୋଲି ଭାବୁଥିବା ପୋଲିସ କହିଛି। ପଶୁଟିର ଫଟୋ ମଧ୍ୟ ଭାଇରାଲ ହେଉଛି। କେହି କେହି ଘଟଣାକୁ ନେଇ ଆଶ୍ଚର୍ଯ୍ୟ ହୋଇଯାଉଥିବା କହିଥିବା ବେଳେ କେହି କେହି ଏହାକୁ ଶେୟାର ମଧ୍ୟ କରୁଛନ୍ତି।

Share