ସାଲାଇନ ନେବାବେଳେ ଛାତ୍ରଙ୍କ ମୃତ୍ୟୁ

ଢେଙ୍କାନାଳ ଅଫିସ, ୩୦।୧: ଢେଙ୍କାନାଳ ସହରସ୍ଥିତ ଗାନ୍ଧୀମନ୍ଦିର ରୋଡ୍‌ ନିକଟରେ ଥିବା ଏକ ଘରୋଇ କ୍ଲିନିକରେ ସାଲାଇନ ନେଉଥିବାବେଳେ ବୁଧବାର ଜଣେ କଲେଜ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତକ ହେଲେ ଅମୀର କୁମାର ଜେନା (୨୬)। ଚିକିତ୍ସାରେ ଅବହେଳା ଏବଂ ଭୁଲ ଇଞ୍ଜେକ୍ସନ ଦିଆଯିବା କାରଣରୁ ଅମୀରଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ କହିଛନ୍ତି। ଏହାକୁ ନେଇ ଦୀର୍ଘସମୟ ଯାଏ କ୍ଲିନିକ ସମ୍ମୁଖରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଟାଉନ ଥାନା ପୋଲିସ ପହଞ୍ଚତ୍ କ୍ଲିନିକ୍‌କୁ ସିଲ୍‌ କରିବା ସହ ତଦନ୍ତ ଆରମ୍ଭ କରିଛି।
ଅମୀରଙ୍କ ଘର ସଦର ଥାନା ଝାରଗାଡିଆ ଫାଣ୍ଡି ବଉଳପୁରପାଟଣା ଗ୍ରାମରେ। ସେ ଢେଙ୍କାନାଳ କଲେଜରୁ ଯୁକ୍ତ ୩ କମର୍ସ ପାସ୍‌ କରି କୁଞ୍ଜକାନ୍ତ ଅଞ୍ଚଳରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନରେ ବ୍ୟାଙ୍କ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିଲେ। ସେ ସାଙ୍ଗଙ୍କ ସହ ମେସ୍‌ କରି ରହୁଥିଲେ। ବୁଧବାର ସକାଳେ ହଠାତ୍‌ ଅମୀର ଅସୁସ୍ଥ ହୋଇପଡ଼ିଥିଲେ। ସହପାଠୀମାନେ ତାଙ୍କୁ ଗାନ୍ଧୀମନ୍ଦିର ରୋଡରେ ରହୁଥିବା ଜଣେ ବରିଷ୍ଠ ଭେଷଜ ଚିକିତ୍ସକଙ୍କ ନିକଟକୁ ନେଇଥିଲେ। ଡାକ୍ତର ଜଣକ ତାଙ୍କୁ ‘ରୋବି-ଡି’ ଇଞ୍ଜେକ୍ସନ ନେବାକୁ ପରାମର୍ଶ ଦେଇଥିଲେ। ତଦନୁଯାୟୀ ନିକଟରେ ଥିବା ଏକ ଔଷଧ ଦୋକାନରୁ ଉକ୍ତ ଇଞ୍ଜେକ୍ସନ ନେଇଥିଲେ। ଏହାପରେ ମେସ୍‌କୁ ଆସି ବିଶ୍ରାମ ନେଇଥିଲେ। ମଧ୍ୟାହ୍ନରେ ଅମୀର ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ପୁଣିଥରେ ସମ୍ପୃ୍‌କ୍ତ ଡାକ୍ତରଙ୍କ ପାଖକୁ ନିଆଯାଇଥିଲା। ଡାକ୍ତର ତୁରନ୍ତ ତାଙ୍କୁ ଗାନ୍ଧୀମନ୍ଦିର ରୋଡସ୍ଥିତ ଉକ୍ତ ଘରୋଇ କ୍ଲିନିକକୁ ନେଇଯିବାକୁ କହିଥିଲେ। ତଦନୁଯାୟୀ ଅମୀର ଉକ୍ତ ଘରୋଇ କ୍ଲିନିକକୁ ଯାଇ ସେଠାରେ ସାଲାଇନ୍‌ ନେଉଥିବାବେଳେ ତାଙ୍କର ମୃତ୍ୟୁ ହୋଇଯାଇଥିବା ପରିବାର ଲୋକେ କହିଛନ୍ତି।
ସୂଚନା ପାଇ ଟାଉନ ଥାନା ଅଧିକାରୀ ଜ୍ଞାନରଞ୍ଜନ ସାମଲ, ଏସ୍‌ଆଇ ଚନ୍ଦ୍ରକାନ୍ତ ସେଠୀ ସଦଳବଳ ପହଞ୍ଚତ୍ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ଲାଗି ପଠାଇଥିଲେ। ଏଥିସହ ଘରୋଇ କ୍ଲିନିକ୍‌କୁ ସିଲ୍‌ କରାଯାଇଛି। ଅଭିଯୁକ୍ତ ଡାକ୍ତରଙ୍କୁ ପଚରାଉଚୁରା କରାଯାଇଛି। ଏ ନେଇ ନଂ. ୫/୨୦୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ଥାନାଧିକାରୀ ସୂଚନା ଦେଇଛନ୍ତି। ଏ ନେଇ ଡାକ୍ତର ଅଜିତ କୁମାର ତ୍ରିପାଠୀ କୁହନ୍ତି, ପରୀକ୍ଷାରୁ ଅମୀରଙ୍କ ଡାହାଣ ହାତର ରକ୍ତଚାପ ଅଧିକ ଥିବା ଜଣାପଡ଼ିଥିଲା। ଦୁଇ ହାତର ରକ୍ତଚାପ ସ୍ଥିର ରହୁ ନ ଥିବାରୁ ଏହା କାର୍ଡିଆକ୍‌ ସମସ୍ୟା ବୋଲି ଅନୁମାନ କରାଯାଇଥିଲା। ତାଙ୍କ କହିବା ଅନୁଯାୟୀ ଠିକ୍‌ ଇଞ୍ଜେକ୍ସନ ଦିଆଯାଇଥିଲା। ରକ୍ତଚାପ କମିଯିବାରୁ ଗୁରୁତର ଅବସ୍ଥାରେ ସେ ପୁଣି ଆସିଥିଲେ। ୭୫% ସାଲାଇନ ଦିଆଯିବା ପରେ ତାଙ୍କର ମୃତ୍ୟୁ ହୋଇଥିଲା। ତ୍ରୁଟିପୂର୍ଣ୍ଣ ଇଞ୍ଜେକ୍ସନ ଦିଆଯିବା ଅଭିଯୋଗକୁ ସେ ଅସ୍ବୀକାର କରିଛନ୍ତି।