ସାରା ବିଶ୍ୱରେ ବଢ଼ିପାରେ ଋଣ ସଙ୍କଟ

ନୂଆଦିଲ୍ଲୀ,୧୪।୪: କରୋନା ପାଇଁ ସାରା ବିଶ୍ୱରେ ଋଣ ସଙ୍କଟ ଆହୁରି ଉତ୍କଟ ହେବ ବୋଲି ପୂର୍ବାନୁମାନ କରାଯାଇଛି। ବିଶ୍ୱର ବିଭିନ୍ନ ଅର୍ଥ ବ୍ୟବସ୍ଥା ପାଇଁ ଏଭଳି ସମସ୍ୟା ଆସିବା ନେଇ ଏକ ରିପୋର୍ଟରେ ଉଲ୍ଲେଖ ରହିଛି। ସୁଇଜରଲାଣ୍ଡର କେନ୍ଦ୍ରୀୟ ବ୍ୟାଙ୍କ ବ୍ୟାଙ୍କ ଅଫ୍‌ ଇଣ୍ଟରନ୍ୟାଶନାଲ ସେଟେଲମେଣ୍ଟ (ବିଆଇଏସ୍‌) ଏହାର ରିପୋର୍ଟରେ କହିଛି ଯେ, ବିଦେଶୀ ମୁଦ୍ରା ବଜାରରେ ଡଲାର ସ୍ବାପ୍‌(ଅଦଳବଦଳ)ର ପ୍ରିମିୟମ କିମ୍ବା ସୁଧ ଏବେ ଐତିହାସିକ ଉଚ୍ଚ ସ୍ତରରେ ରହିଛି। ରିପୋର୍ଟରେ କୁହାଯାଇଛି ଯେ, ଡଲାରର ସ୍ବାପ୍‌ ଦର ବଢ଼ିବା ଏହି ପ୍ରସଙ୍ଗକୁ ସଙ୍କେତ ଦେଉଛି, ଭବିଷ୍ୟତରେ ଡଲାର ଅଧିକ ଶକ୍ତିଶାଳୀ ହେବା ସମ୍ଭାବନା ଉପୁଜିଛି। ସରକାର,କମ୍ପାନୀ ତଥା ନିବେଶକ ବିନିମୟ ଦର ଉପରେ ଉତ୍ଥାନ ପତନର ବିପଦରୁ ବଞ୍ଚିବା ଲାଗି ଏବେ ଜରୁରୀ ବିଚାର କରୁଛନ୍ତି। ଡଲାର ସ୍ବାପିଂ ବଢିବା ଯୋଗୁ ସରକାର, କମ୍ପାନୀ ଏବଂ ଅନ୍ୟ ଋଣ ନେଇଥିବା ବ୍ୟକ୍ତି ବିଶେଷଙ୍କ ଉପରେ ସୁଧ ହାରର ବୋଝ ସେହିଭଳି ବଢିବ। ମୋଟାମୋଟି ଭାବେ ବିଚାରକଲେ ସାରା ବିଶ୍ୱ ଉପରେ ବିତ୍ତୀୟ ସମସ୍ୟା ବଢ଼ିବା ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ। କାରଣ ଅଦଳବଦଳ ମୂଲ୍ୟ ବଢିଲେ ଦେଶଗୁଡିକ ଉପରେ ଏହାର ପ୍ରଭାବ ପରିଲକ୍ଷିତ ହେବ।

Share