ସାରା ବିଶ୍ୱରେ କରୋନା ପ୍ରକୋପ: ଭାଇରାଲ ହେଉଛି ଶର୍ଟ ଫିଲ୍ମ

ମୁମ୍ବାଇ: ସମଗ୍ର ବିଶ୍ୱରେ କରୋନା ଭାଇରସ୍‌ର ପ୍ରକୋପ ଦେଖିବାକୁ ମିଳୁଥିବା ବେଳେ ଏଥିରେ ସଂକ୍ରମିତ ହୋଇ ହଜାର ହଜାର ଲୋକଙ୍କ ଜୀବନ ଗଲାଣି। ଏଥିରୁ ରକ୍ଷା ପାଇବା ପାଇଁ ସାରା ବିଶ୍ବ ଯଥା ସମ୍ଭବ ଉଦ୍ୟମ ଚଳାଇଛି। ଏହି ଭାଇରସ୍‌ ଏତେ ଭୟଙ୍କର ଯେ ଏହା ଅତି ସହଜରେ ସଂକ୍ରମିତ ହୋଇଥାଏ। ଏଥିରୁ ନିସ୍ତାର ପାଇଁ ଏଯାଏଁ ବୈଜ୍ଞାନିକମାନେ କୌଣସି ଟିକା ବା ଭ୍ୟାକସିନ୍‌ ତିଆରି କରିପାରିନାହାଁନ୍ତି। ଇତିମଧ୍ୟରେ ଏକ ଶର୍ଟ ଫିଲ୍ମ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ହରର ଫିଲ୍ମରେ ଜଣେ ମହିଳା ଏକ ଅଜଣା ଭାଇରସ୍‌ରେ ସଂକ୍ରମିତ ହୋଇଥିବା ଦେଖାଯାଇଛି। ମାତ୍ର ୫ ମିନିଟ୍‌ର ଏହି ଶର୍ଟ ଫିଲ୍ମ ସମସ୍ତଙ୍କ ମନରେ ଆତଙ୍କ ସୃଷ୍ଟି କରିଦେଇଛି। ସୂଚନାଯୋଗ୍ୟ, ଏହି ଫିଲ୍ମରେ ଦର୍ଶାଯାଇଛି ଯେ, ଜଣେ ମହିଳା ପବ୍ଲିକ୍‌ ୱାସ୍‌ ରୁମ୍‌ରେ ଥିବା ଏକ ଡଷ୍ଟବିନ୍‌ରେ ନିଜର ଫୋନ ଖୋଜୁଛନ୍ତି। ସେହି ସମୟରେ ଡଷ୍ଟବିନ୍‌ରେ ପଡ଼ିଥିବା ଏକ ସିରିଞ୍ଜ୍‌ର ଛୁଞ୍ଚି ତାଙ୍କ ହାତରେ ଅଜାଣତରେ ଫୋଡି ହୋଇଯାଇଥାଏ। ଛୁଞ୍ଚିଟି ଫୋଡିଯିବା ପରେ ସେ ଏକ ଅଜଣା ଭାଇରସ୍‌ରେ ସଂକ୍ରମିତ ହୋଇଯାଇଥାନ୍ତି। ଏହାପରେ ସେ ସମ୍ପୂର୍ଣ୍ଣ ଭାବେ ଭୟଭୀତ ହୋଇ ଏଥିରୁ ବର୍ତ୍ତିବା ପାଇଁ ଉଦ୍ୟମ ଆରମ୍ଭ କରନ୍ତି। ଏସମ୍ବନ୍ଧୀୟ ବିଷୟରେ ଜାଣିବା ପାଇଁ ସେ ଫୋନ୍‌ରେ ସର୍ଚ୍ଚ କରିଥାନ୍ତି। ଏହା ଏକ ବିପଦଜ୍ଜନକ ଭାଇରସ୍‌ ଜାଣିବା ପରେ ଏହାସହ କିପରି ମୁକାବିଲା କରିବେ ସେନେଇ ଉଦ୍ୟମ କରନ୍ତି। ହେଲେ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିବା ପରିବର୍ତ୍ତେ ତାଙ୍କର ଆହୁରି ସ୍ବାସ୍ଥ୍ୟ ବିଗଡିଯାଇଥିବା ଏହି ଫିଲ୍ମରେ ଦେଖିବାକୁ ମିଳିଛି। ଟ୍ରାୟୋଫୋବିଆ ନାମକ ଏହି ଫିଲ୍ମକୁ ୨ବର୍ଷ ପୂର୍ବରୁ ୟୁଟ୍ୟୁବ୍‌ରେ ଅପ୍‌ଲୋଡ କରାଯାଇଥିଲା। ହେଲେ କରୋନା ଭାଇରସ୍‌ ସଂକ୍ରମଣ ଓ ଏଥିରୁ ହେଉଥିବା କ୍ଷତିକୁ ଦେଖି ପୁଣି ଥରେ ଏହାକୁ ଅପ୍‌ଲୋଡ୍‌ କରାଯାଇଛି। ତେବେ ଏହି ଫିଲ୍ମକୁ ଏପର୍ଯ୍ୟନ୍ତ ୬ଲକ୍ଷରୁ ଅଧିକ ୟୁଜର୍ସ ଦେଖିସାରିଲେଣି ।

Share