ସାରା ଜୀବନ ଏକାଠି ରହିବା ସଂକଳ୍ପରେ ୭ ବାନ୍ଧବୀ

୭ ବାନ୍ଧବୀ, ଦୀର୍ଘ ୨୦ ବର୍ଷର ସେମାନଙ୍କ ସମ୍ପର୍କ। ବାନ୍ଧବୀ ନୁହେଁ ତ ସେମାନେ ଭଉଣୀ ପରି। ଆଉ ଏହି ସମ୍ପର୍କକୁ ସାରା ଜୀବନ ବଜାୟ ରଖିବାକୁ ବି ସେମାନେ ସଂକଳ୍ପବଦ୍ଧ। ଚାଇନାର ଏହି ସାତ ବାନ୍ଧବୀ ଖାସ୍‌ ସେଥିପାଇଁ ଏକ ସ୍ବପ୍ନର ଘର ବି ତିଆରି କରିଛନ୍ତି। ଗୁଆଙ୍ଗଝୁ ସହରତଳିରେ ଚାଷ ଜମି ପାଖାପାଖି ଏକ ୭୦୦ ବର୍ଗମିଟରର ଅର୍ଦ୍ଧନିର୍ମିତ ଘର ସେମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଆଉ ତାକୁ ସେମାନଙ୍କ ସ୍ବପ୍ନର ମହଲ କରିବାକୁ ନିଷ୍ପତ୍ତି ନେଲେ। ସେଥିପାଇଁ ସମସ୍ତେ ଅର୍ଥ ଖର୍ଚ୍ଚ କରି ତାକୁ କିଣି ନେଲେ। ପରେ ସେମାନେ ନିଜ ପସନ୍ଦରେ ତାକୁ ପୁନଃ ନିର୍ମାଣ କଲେ। ବର୍ତ୍ତମାନ ଏହା ଏକ ସୁନ୍ଦର ଆଧୁନିକ ମାନ୍‌ସନରେ ପରିଣତ ହୋଇଛି। ଏହାର ଚତୁଃପାର୍ଶ୍ୱରେ ସୁନ୍ଦର ପାହାଡ, ଜଙ୍ଗଲ, ବଗିଚା ରହିଛି। ଗ୍ରାଉଣ୍ଡ ଫ୍ଲୋରରେ ଏକ ବଡ ରୁମ୍‌ ସମସ୍ତଙ୍କ ପାଇଁ ରହିଛି। ଆଉ ଉପର ମହଲାରେ ସମସ୍ତଙ୍କ ପାଇଁ ଅଲଗା ଅଲଗା ବେଡ୍‌ରୁମ୍‌ ରହିଛି।

ଘରର ଇଣ୍ଟେରିୟର୍‌ ବେଶ୍‌ ଆକର୍ଷକ। ସମସ୍ତେ ଚା’ ପ୍ରିୟ ହୋଇଥିବାରୁ ଘର ନିକଟସ୍ଥ ଚାଷ ଜମିକୁ କାଠର ରାସ୍ତା କରି ଜମି ମଝିରେ ମଣ୍ଡପ ଭଳି କରିଛନ୍ତି। ଯେଉଁଠି ସେମାନେ ପ୍ରକୃତିର ସୌନ୍ଦର୍ଯ୍ୟ ଉପଭୋଗ କରି ଚା’ର ମଜା ନିଅନ୍ତି। ସହରଠୁ ଏହି ଘର ଏକ ଘଣ୍ଟାର ଦୂରତାରେ ଅବସ୍ଥିତ। ସେମାନେ ଏକାଠି ରାନ୍ଧନ୍ତି, ଗୀତ ଗାଆନ୍ତି, ଗାଁକୁ ଯାଇ ଖାଦ୍ୟ ସଂଗ୍ରହ କରନ୍ତି। ପ୍ରତିମୁହୂର୍ତ୍ତକୁ ବେଶ୍‌ ହସଖୁସିରେ ବିତାନ୍ତି। ବାକି ଜୀବନ ବି ଏହିଭଳି ବିତିଯିବ ବୋଲି ଆଶା ରଖିଛନ୍ତି।

Share