ସାମ୍ବାଦିକ ଦିଲୀପ ଶତପଥୀଙ୍କ ପରଲୋକ

ଭୁବନେଶ୍ୱର,୯ା୯(ବ୍ୟୁରୋ) : ବରିଷ୍ଠ ସାମ୍ବାଦିକ ଦିଲୀପ ଶତପଥୀଙ୍କ ରବିବାର ବିଳମ୍ବିତ ରାତିରେ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲ୍‌ରେ ପରଲୋକ ଘଟିଛି। ତାଙ୍କୁ ୫୬ବର୍ଷ ହୋଇଥିଲା। ସେ ଗତ କିଛି ମାସ ହେବ ରକ୍ତ କର୍କଟ ରୋଗରେ ପୀଡ଼ିତ ଥିଲେ। ରବିବାର ହଠାତ୍‌ ଅସୁସ୍ଥ ହୋଇପଡ଼ିବା ପରେ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ମରଶରୀରକୁ କ୍ୟାପିଟାଲ୍‌ ହସ୍ପିଟାଲ୍‌କୁ ଅଣାଯାଇଥିଲା। ସେ ରେଭେନ୍ସା ମହାବିଦ୍ୟାଳୟର ଛାତ୍ର ଥିଲେ। ଗତ ଅଶି ଦଶକରେ ସେ ଓଡ଼ିଆ ଦୈନିକ ଖବରକାଗଜରୁ ତାଙ୍କ ସାମ୍ବାଦିକତା ଜୀବନ ଆରମ୍ଭ କରିଥିଲେ। ପରେ ସେ ବିଜ୍‌ନେସ ଷ୍ଟାଣ୍ଡାର୍ଡ ଭୁବନେଶ୍ୱର ସଂସ୍କରଣର ରେସିଡେଣ୍ଟ ଏଡିଟର ଭାବେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରି ଆସିଥିଲେ। ସେ ଜଣେ ବିଶିଷ୍ଟ ଅର୍ଥନୈତିକ ଓ ରାଜନୈତିକ ସମୀକ୍ଷକ ଭାବେ ଜଣାଶୁଣା। ଦିଲୀପ ବିଭିନ୍ନ ନ୍ୟୁଜ୍‌ ଚ୍ୟାନେଲ୍‌ରେ ସାମ୍ପ୍ରତିକ ପ୍ରସଙ୍ଗକୁ ନେଇ ହେଉଥିବା ଆଲୋଚନାରେ ଭାଗ ନେଉଥିଲେ। ଏଥିସହିତ ସେ କେତେକ ସାମ୍ବାଦିକତା ଶିକ୍ଷାନୁଷ୍ଠାନରେ ଅଧ୍ୟାପନା କରୁଥିଲେ। ପରଲୋକ ଖବର ଜଣାପଡ଼ିବା ପରେ ବହୁ ବିଶିଷ୍ଟ ବ୍ୟକ୍ତି ହସ୍ପିଟାଲ୍‌ରେ ପହଞ୍ଚତ୍ ତାଙ୍କ ଶେଷ ଦର୍ଶନ କରିଛନ୍ତି।