ସାମ୍ବାଦିକାଙ୍କୁ ଆକ୍ରମଣ ଘଟଣା: ୨ ଗିରଫ

ଭୁବନେଶ୍ୱର,୨୯ା୧୨(ବ୍ୟୁରୋ): ଏସ୍‌ପ୍ଲାନାଡେ ଶପିଂ ମଲ୍‌ରେ ସାମ୍ବାଦିକାଙ୍କୁ ଆକ୍ରମଣ ସହ ଅସଦାଚରଣ ଘଟଣାକୁ ନେଇ ରାଜ୍ୟ ସମେତ ରାଜଧାନୀରେ ପ୍ରବଳ ପ୍ରତିବାଦର ସ୍ବର ଦେଖିବାକୁ ମିଳିଛି। ସାମାଜିକ କର୍ମୀ, ମାନବାଧିକାର କର୍ମୀ, ରାଜନୈତିକ ଦଳର ନେତା ଓ ଛାତ୍ରୀମାନେ ସାମ୍ବାଦିକାଙ୍କ ଉପରେ ହୋଇଥିବା ଆକ୍ରମଣକୁ ତୀବ୍ର ବିରୋଧ କରି ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ରବିବାର ସକାଳୁ ଏକାଧିକ ସାମ୍ବାଦିକ ଏସ୍‌ପ୍ଲାନାଡେ ମଲ୍‌ ଗେଟ୍‌ ଆଗରେ ଧାରଣାରେ ବସିଥିଲେ। ଏହି ଘଟଣାରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି। ଭୁବନେଶ୍ୱର ଡିସିପି ଅନୁପ ସାହୁ ଘଟଣା ସ୍ଥଳରେ ପହଞ୍ଚି ସାମ୍ବାଦିକାଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ ଧାରଣାକାରୀମାନେ ଶୁଣି ନ ଥିଲେ। ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରା ନ ଯିବା ପର୍ଯ୍ୟନ୍ତ କେହି ଧାରଣାରୁ ଉଠିବେ ନାହିଁ ବୋଲି ସେମାନେ ଡିସିପିଙ୍କୁ କହିଥିଲେ। ଡିସିପି ଏ ସମ୍ପର୍କରେ ସିପିଙ୍କୁ ଅବଗତ କରାଇଥିଲେ। ଡିସିପି ଗଣମାଧ୍ୟମକୁ କହିଥିଲେ ଯେ, ସିସିଟିଭି ଆଧାରରେ ଅଭିଯୁକ୍ତଙ୍କୁ ଗିରଫ କରାଯାଉଛି। କାହାରିକୁ ଛଡାଯିବ ନାହିଁ। ପୋଲିସ ଏନେଇ ଆଇନଗତ ପ୍ରକ୍ରିୟାରେ ପଦେକ୍ଷପ ନେଉଛି।