ସାମାନ୍ୟ ବଚସା ନେଲା ଜୀବନ: ଗ୍ରାମ ସଭାପତିଙ୍କ ଗୁଳିମାଡ଼ରେ କନଷ୍ଟେବଳ ମୃତ

ଢେଙ୍କାନାଳ ଅଫିସ, ୧୪।୩: ଢେଙ୍କାନାଳ ଜିଲା ସଦର ଥାନା ଚାଉଳିଆ ଗ୍ରାମରେ ଦୋଳମେଳଣ ଚାଲିଥିବା ବେଳେ ଶୁକ୍ରବାର ରାତିରେ ସାମାନ୍ୟ ବଚସାରୁ ଗୁଳିମାଡ ଘଟିଛି। ଏଥିରେ ଗ୍ରାମ ସଭାପତି ଶ୍ରୀକାନ୍ତ ସାହୁଙ୍କ ଗୁଳିମାଡ଼ରେ କନଷ୍ଟେବଳ ରାମଚନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟିଛି।
ପ୍ରକାଶ ଯେ, କୌଣସି କଥାକୁ ନେଇ ଗ୍ରାମ ସଭାପତି ଶ୍ରୀକାନ୍ତ ଓ ରାମଚନ୍ଦ୍ରଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଶ୍ରକାନ୍ତ ଉତ୍‌କ୍ଷିପ୍ତ ହୋଇ ଗୁଳିମାଡ଼ କରିଥିଲେ। ଗୁଳି ରାମଙ୍କ ଡାହାଣ ଛାତିରେ ବାଜିଥିଲା। ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟ ପରେ କଟକ ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ଏହାକୁ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି। ଫଳରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଅଛନ୍ତି। ଏ ନେଇ ଥାନାରେ ନଂ. ୯୭/୨୦ରେ ମାମଲା ରୁଜୁ ହୋଇଛି। ମୃତ ରାମଚନ୍ଦ୍ର ଆଇଆର୍‌ବି ବାଟାଲିୟନରେ ଡେପୁଟେଶନ କନଷ୍ଟେବଳ ଭାବେ କାର୍ଯ୍ୟ କରୁଥିଲେ ବୋଲି ସଦର ଥାନା ଅଧିକାରୀ ସନ୍ଧ୍ୟାରାଣୀ ବେହୁରା କହିଛନ୍ତି।