ସାମାଜିକ ଦୂରତ୍ୱ ହିଁ କରୋନାର ଭ୍ୟାକସିନ୍‌ : ସ୍ବାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୨୦।୪: ଭାରତରେ କରୋନା ଭାଇରସ୍‌ର ପ୍ରକୋପ ଜାରି ରଖିଥିବା ବେଳେ ଅନ୍ୟ ଦେଶ ତୁଳନାରେ ଏହାର ଆକ୍ରାନ୍ତଙ୍କ ସଂଖ୍ୟା କମ୍‌ ରହିଛି। ଯାହା ଭାରତ ପାଇଁ ଏକ ଆଶ୍ୱସ୍ତିକର ଖବର। ଭାରତରେ ଏବେ କରୋନା ମାମଲା ସାଢ଼େ ୭ଦିନରେ ଦୁଇଗୁଣା ବୃଦ୍ଧି ପାଉଥିବା ବେଳେ ପୂର୍ବରୁ ସାଢ଼େ ୩ ଦିନରେ ଏହି ସଂଖ୍ୟା ବୃଦ୍ଧି ପାଉଥିଲା ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି। ଗତ ୨୪ ଘଣ୍ଟାରେ କରୋନାର ୧୫୫୩ ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ଏଥିରେ ୩୬ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ୨୫୪୬ ଜଣ ସଂକ୍ରମିତ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହାକୁ ମିଶାଇ ଭାରତରେ ଏପର୍ଯ୍ୟନ୍ତ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭୨୬୫ ଟପିଛି ବୋଲି ସୋମବାର ଏକ ଖବରଦାତା ସମ୍ମିଳନୀରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରଓ୍ବାଲ ସୂଚନା ଦେଇଛନ୍ତି। କରୋନା ମୁକାବିଲା ପାଇଁ ଏପର୍ଯ୍ୟନ୍ତ କୌଣସି ଭ୍ୟାକସିନ୍‌ ବାହାରି ନ ଥିବା ବେଳେ ସାମାଜିକ ଦୂରତ୍ୱ ହିଁ କରୋନାର ଭ୍ୟାକସିନ୍‌ ବୋଲି ଲଭ୍‌ ଅଗ୍ରଓ୍ବାଲ କହିଛନ୍ତି।

Share