ସାମାଜିକ ଦୂରତ୍ୱ ପାଇଁ ଗାଇଡ୍‌ଲାଇନ୍‌: ୧୪୪ ଧାରା ପରିବର୍ତ୍ତେ କରାଯିବ ସଚେତନ, ବିବାହ ଉତ୍ସବରେ ୫୦ ମଧ୍ୟରେ ଅତିଥି ସୀମିତ ପାଇଁ ପରାମର୍ଶ

ଭୁବନେଶ୍ୱର,୧୭।୩(ବ୍ୟୁରୋ): କରୋନା ମୁକାବିଲା ପାଇଁ ସାମାଜିକ ଦୂରତ୍ୱ ନେଇ ମଙ୍ଗଳବାର ସରକାର କମିଟି ଗଠନ କରିଛନ୍ତି। ଗାଇଡ୍‌ଲାଇନ୍‌ କମିଟି ମୁଖ୍ୟ ଏପିସି ପ୍ରଦୀପ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଇଛି। ନିଜ ସହ ସମାଜକୁ ସୁରକ୍ଷିତ ରଖାଯିବା ନେଇ କମିଟି ପକ୍ଷରୁ ବିଭିନ୍ନ ଗାଇଡ୍‌ଲାଇନ୍‌ କରାଯାଇଛି। ତଦନୁଯାୟୀ, ବାହାଘର ଆଦି ଉତ୍ସବରେ ୫୦ ମଧ୍ୟରେ ଅତିଥି ସୀମିତ ରଖିବାକୁ କୁହାଯାଇଛି। ଅତ୍ୟନ୍ତ ଜରୁରୀ ନ ଥିବା ସାମାଜିକ ଉତ୍ସବ ସ୍ଥଗିତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସାମାଜିକ ଦୂରତ୍ୱ ରଖିବାକୁ କର୍ତ୍ତୃପକ୍ଷ ୧୪୪ ଧାରା ଜାରି କରିପାରିବେନାହିଁ। ଜିଲାପାଳ, ମାଜିଷ୍ଟ୍ରେଟ୍‌ କିମ୍ବା ପୋଲିସ କମିଶନର ୧୪୪ ଜାରି କରିବେ ନାହିଁ। ସେମାନେ ୧୪୪ ଧାରା ପରିବର୍ତ୍ତେ ସାମାଜିକ ସଚେତନତା ଦ୍ୱାରା ଦୂରତ୍ୱ ପାଇଁ କହିବେ। ଆହାର କେନ୍ଦ୍ର, ଓମ୍‌ଫେଡ ବୁଥ୍‌ରେ ହାତ ଧୋଇବା ବାଧ୍ୟତାମୂଳକ କରାଯାଇଛି। ବୃଦ୍ଧବୃଦ୍ଧାଙ୍କୁ ପିଡିଏସ୍‌ ସାମଗ୍ରୀ ତାଙ୍କ ଘରେ ପହଞ୍ଚାଯିବ। ପିଡିଏସ୍‌ ପାଇଁ ବ୍ୟବହୃତ ପିଓଏସ୍‌ ମେଶିନକୁ ସାନିଟାଇଜ କରାଯିବ। ବସ୍‌ ସାନିଟାଇଜ୍‌ ହେବ, ଯାତ୍ରୀଙ୍କ ମଧ୍ୟରେ ନିର୍ଦ୍ଧିଷ୍ଟ ଦୂରତା ରହିବ। ବ୍ୟାଙ୍କ, ପୋଷ୍ଟ ଅଫିସ୍‌, ଏଟିଏମ୍‌ରେ ସାନିଟାଇଜର ରଖାଯିବ। ଖାଦ୍ୟ ପଦାର୍ଥ ପାଇଁ ସୁପରମାର୍କେଟ, ଗ୍ରୋସରୀ ଖୋଲା ରହିବ। ଷ୍ଟୋରରେ ୨୦ ରୁ ୩୦ ଜଣ ମଧ୍ୟରେ ପଶିପାରିବା ନେଇ କଟକଣା କରାଯିବା ନେଇ ଏପିସି ସୂଚନା ଦେଇଛନ୍ତି।