ସାମାଜିକ ଦୂରତା ରଖିଲେ ପରିବା ବ୍ୟବସାୟୀ

ବରଗଡ଼ ଅଫିସ୍‌,୩।୪-କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଲକ୍‌ ଡାଉନ କଟକଣା ଲାଗୁ ହୋଇଛି । ଏଥିରୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୃଷ୍ଟିରୁ ପରିବା ବଜାରକୁ ବାଦ୍‌ ଦିଆଯାଇଛି । ସେହିପରି କରୋନା ମୁକାବିଲା ପାଇଁ ସାମାଜିକଦୂରତ୍ୱ ଅବଲମ୍ବନକୁ ଗୁରୁତ୍ୱ ଦିଆଯାଉଛି । ମାତ୍ର ବରଗଡ଼ ଜିଲାର ପରିବା ବଜାର ଗୁଡ଼ିକରେ ଯେଭଳି ଅସମ୍ଭାଳ ଭିଡ଼ ରହୁଛି, ସେଥିରୁ ତାହା ଫେଲ୍‌ ମାରୁଥିବା ପରିଲକ୍ଷିତ ହେଉଛି । ଏହାକୁ ଆଖି ଆଗରେ ରଖି ବରଗଡ଼ ସବଜେଲ ପଛପଟେ ରହିଥିବା ପରିବା ବଜାରକୁ ସ୍ଥାନୀୟ ଜର୍ଜ ହାଇସ୍କୁଲ ପଡ଼ିଆକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ପୂର୍ବାପେକ୍ଷା ଭିଡ଼ କମିଥିଲା । ହେଲେ ସ୍ଥାନୀୟ ହାଟପଦା ଭଳି ସେଠାରେ ମଧ୍ୟ ଲୋକେ ସାମାଜିକ ଦୂରତ୍ୱ ଅବଲମ୍ବନ କରୁ ନଥିବା ନଜରକୁ ଆସିଛି । ଫଳରେ ପରିବା ବଜାରରେ ଲୋକଙ୍କ ମଧ୍ୟରେ ସମଦୂରତ୍ୱ ବଜାୟ ରଖିବା ଲକ୍ଷ୍ୟ ରଖି ବରଗଡ଼ ଲୋକମଣ୍ଡପ ପଡ଼ିଆରେ ମଧ୍ୟ ଅସ୍ଥାୟୀ ପରିବା ବଜାର ଖୋଲିଛି ଏବଂ ଏଠାରେ ପରିବା ବିକାଳି, ଗରାଖମାନେ ସାମଜିକ ଦୂରତ୍ୱ ଅବଲମ୍ବନ କରୁଥିବା ପରିଲକ୍ଷିତ ହୋଇଛି । ପ୍ରତି ବଜାରରେ ଏଭଳି ବ୍ୟବସ୍ଥା କରାଗଲେ କରୋନା ମୁକାବିଲା ପାଇଁ ଲାଗୁ କରାଯାଇଥିବା ଲକ୍‌ ଡାଉନ୍‌ ସମେତ ସାମାଜିକ ଦୂରତ୍ୱ ଅବଲମ୍ବନ ସଫଳ ହେବ ବୋଲି ସାଧାରଣରେ ମତପ୍ରକାଶ ପାଇଛି ।