ସାମାଜିକ ଦୂରତା ନିୟମକୁ ଫୁ’

ଭୁବନ, ୧୬।୪(ଡି.ଏନ.ଏ.) ବ୍ୟାପକ ସଚେତନତା ଓ ବାରମ୍ବାର ତାଗିଦ୍‌ ସତ୍ତ୍ୱେ ସାମାଜିକ ଦୂରତା ନିୟମକୁ ମାନୁନାହାନ୍ତି ସାଧାରଣ ଲୋକେ। ହାଟ ବଜାରରେ ଅସମ୍ଭାଳ ଭିଡ଼ ହେଉଛି। ଏହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଭୁବନ ଏନ୍‌ଏସି କର୍ତ୍ତୃପକ୍ଷ ଏବଂ ପୋଲିସ। ଏହାର ସମାଧାନ ନିମନ୍ତେ ଗୁରୁବାରଠାରୁ ନୂଆବଜାର ପରିବା ମାର୍କେଟ ଏନ୍‌ଏସି କାର୍ଯ୍ୟାଳୟ ନିକଟ ଯାତ୍ରା ପଡ଼ିଆକୁ ସ୍ଥାନାନ୍ତର କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ବରାଳ ସୂଚନା ଦେଇଛନ୍ତି। ସରକାରୀ ନିୟମ ଅନୁଯାୟୀ, ଏନ୍‌ଏସିରେ ସକାଳ ୬ଟାରୁ ପୂର୍ବାହ୍ନ ୧୦ଟା ଯାଏ ଅତ୍ୟାବଶ୍ୟକ ସାମଗ୍ରୀ, ପରିବା ଦୋକାନ ଖୋଲାରହିବ। ନୂଆ ବଜାରରେ ୧୦୦ରୁ ଊର୍ଦ୍ଧ୍ୱ ବ୍ୟବସାୟୀ ବ୍ୟବସାୟ କରୁଛନ୍ତି। ହେଲେ ଦୋକାନ ଖୋଲିଲେ କେହି କାହାରିକୁ ମାନୁନାହାନ୍ତି। ଏହା କରୋନା ସଂକ୍ରମଣର ଭୟକୁ ବଢ଼ାଇ ଦେଇଛି। ଏ ନେଇ ଜଗନ୍ନାଥ ଚାରିଟେବୁଲ ସଂସ୍ଥାର କର୍ମକର୍ତ୍ତାମାନେ ତହସିଲଦାର ଶକ୍ତିକାନ୍ତ ରାୟ, ଥାନାଧିକାରୀ ନିର୍ମଳା ଗୋଚ୍ଛାୟତ, ନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ବରାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏଣିକି ନିୟମ ଉଲ୍ଲଂଘନକାରୀଙ୍କ ଉପରେ ପୋଲିସ କଠୋର ହେବ ବୋଲି ଥାନାଧିକାରୀ ସୂଚନା ଦେଇଛନ୍ତି।