ସାବାସ୍‌ ଜେସିକା! ହାତ ନାହିଁ, ଗୋଡରେ ବିମାନ ଚଳାଉଛନ୍ତି

ମହିଳାମାନେ ଆଜି ପୁରୁଷଙ୍କର ସମକକ୍ଷ ହୋଇପାରିଛନ୍ତି। ବିମାନ ଚଳାଇବା, କ୍ରିକେଟ ଖେଳିବାଠାରୁ ଆରମ୍ଭ କରି ଏଭରେଷ୍ଟ ଚଢ଼ିବା ଯାଏ ସବୁ କାମ କରିପାରୁଛନ୍ତି। କିନ୍ତୁ ଶାରିରୀକ ଅକ୍ଷମତା ବେଳେବେଳେ ଲକ୍ଷ୍ୟସ୍ଥଳରେ ପହଞ୍ଚିବାରେ ବାଧା ସୃଷ୍ଟି କରେ। ତାକୁ ଏଡାଇ ଯିଏ ନିଜର ସ୍ବପ୍ନ ପୂରଣ କରେ, ସେ ହିଁ ପ୍ରକୃତ ସାହସିକତାର ପରିଚୟ ପାଏ। ଏମିତି ଜଣେ ଯୁବତୀ ହେଉଛନ୍ତି ଜେସିକା କକ୍ସ। ସେ ବିଶ୍ୱର ଏକମାତ୍ର ମହିଳା, ଯେ କି ଗୋଡରେ ବିମାନ ଚଳାଉଛନ୍ତି। ଏଥିପାଇଁ ତାଙ୍କୁ ଲାଇସେନ୍ସ ମଧ୍ୟ ମିଳିଛି।
ଆମେରିକାର ଏରିଜୋନାରେ ଜନ୍ମଗ୍ରହଣ କରିଥିଲେ ଜେସିକା। ପିଲାଦିନରୁ ତାଙ୍କର ଦୁଇହାତ ନ ଥିଲା। ଫଳରେ ପ୍ଲାଷ୍ଟିକ୍‌ ହାତ ସହାୟତାରେ ୧୪ବର୍ଷ ପର୍ଯ୍ୟନ୍ତ ଦୈନନ୍ଦିନ କାର୍ଯ୍ୟ କରିଥିଲେ। କିନ୍ତୁ ଏହା ତାଙ୍କୁ ସନ୍ତୁଷ୍ଟ କରିପାରି ନ ଥିଲା। ସେ ପ୍ଲାଷ୍ଟିକ ହାତ କାଢି ଗୋଡରେ କାମ କରିବା ଆରମ୍ଭ କରିଥିଲେ। ଖାଇବା, ଜୋତା ପିନ୍ଧିବା, ମୁଣ୍ଡ କୁଣ୍ଡାଇବାଠାରୁ ଆରମ୍ଭ କରି ଲେଖିବା, କମ୍ପ୍ୟୁଟର ଟାଇପ୍‌ କରିବା ପର୍ଯ୍ୟନ୍ତ ସବୁକିଛି ସେ ଗୋଡରେ କରିବାକୁ ଆରମ୍ଭ କଲେ। ଜେସିକା ପ୍ରତି ଏକ ମିନିଟରେ ୨୫ଟି ଶବ୍ଦ ଟାଇପିଂ କରିପାରୁଛନ୍ତି। ଧିରେ ଧିରେ ଏଥିରେ ପାରଙ୍ଗମ ମଧ୍ୟ ହୋଇଗଲେ। ତାଙ୍କୁ ୨୨ବର୍ଷ ହୋଇଥିବାବେଳେ ବିମାନ ଚଳାଇବା ଶିଖିଯାଇଥିଲେ। ତିନିବର୍ଷ ପରେ ତାଙ୍କୁ ଲାଇସେନ୍ସ ମିଳିଯାଇଥିଲା। ୩୪ବର୍ଷୀୟ ଜେସିକା ନୌଚାଳନା, ସ୍କୁବା ଡାଇଭିଂ ମଧ୍ୟ ଗୋଡରେ କରନ୍ତି। ବିବାହ ସମୟରେ ତାଙ୍କୁ ସ୍ବାମୀଙ୍କୁ ଗୋଡରେ ମୁଦି ପିନ୍ଧାଇଥିଲେ ସେ। ଜେସିକାଙ୍କ ଏଭଳି ନିଆରା କାର୍ଯ୍ୟଶୈଳୀ ପାଇଁ ସେ ଅନେକ ପୁରସ୍କାର ମଧ୍ୟ ହାସଲ କରିଛନ୍ତି।

Share