Categories: ଜାତୀୟ

ସାବରମତୀ ଆଶ୍ରମକୁ ଗସ୍ତ କରିବେ ଟ୍ରମ୍ପ: ଉପହାରରେ ମିଳିବ ଗାନ୍ଧୀଙ୍କ ପସନ୍ଦର ଜିନିଷ

ଅହମଦାବାଦ,୧୯।୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଗସ୍ତରେ ଚଳିତ ମାସରେ ଆସୁଛନ୍ତି। ଫେବୃଆରୀ ୨୪ ଓ ୨୫ ଏହି ଦୁଇ ଦିନିଆ ଗସ୍ତରେ ସେ ଗୁଜରାଟର ଅହମଦାବାଦ ଓ ଦିଲ୍ଲୀରେ ରହିବେ। ଏହି ଗସ୍ତ ସମୟରେ ଟ୍ରମ୍ପ ଅହମଦାବାଦର ସାବରମତୀ ଆଶ୍ରମକୁ ମଧ୍ୟ ଯିବେ। ସେହି ସମୟରେ ତାଙ୍କୁ କିଛି ସ୍ବତନ୍ତ୍ର ଉପହାର ଦିଆଯିବ। ଗାନ୍ଧୀ ଆଶ୍ରମ ଟ୍ରଷ୍ଟ ପକ୍ଷରୁ ତାଙ୍କୁ ଉପହାରରେ ଗାନ୍ଧୀଙ୍କ ଚରଖା, ପେନ୍‌ସିଲ୍‌ରେ ତିଆରି ହୋଇଥିବା ପୋଟ୍ରେଟ୍‌ ଓ ଗାନ୍ଧୀଙ୍କ ଲିଖିତ ଏକ ବହି ଦିଆଯିବ ବୋଲି ଟ୍ରଷ୍ଟି ଅମୃତ ମୋଦି କହିଛନ୍ତି। ଏଥିସହ ସେ କହିଛନ୍ତି, ଯେତେବେଳେ ଜଣେ ଭିଆଇପି ବିଦେଶୀ ଏଠାକୁ ଗସ୍ତ କରିଥାନ୍ତି, ପରେ ସେମାନଙ୍କ ପାଇଁ ଏହା ଏକ ସୁନ୍ଦର ସ୍ମୃତି ପାଲଟିଯାଏ। ଏଭଳି କ୍ଷେତ୍ରରେ ଟ୍ରମ୍ପଙ୍କ ଏହି ଗସ୍ତକୁ ମଧ୍ୟ ସୁନ୍ଦର ସ୍ମୃତି କରାଯିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଅହମଦାବାଦ ବିମାନବନ୍ଦରରୁ ଟ୍ରମ୍ପଙ୍କ ଆସିବା ପରେ ତାଙ୍କୁ ବହୁ ଆଡମ୍ବରରେ ସ୍ବାଗତ କରାଯିବ। ଏଥିପାଇଁ ଭାରତ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଟ୍ରମ୍ପ ବିମାନ ବନ୍ଦରରୁ ଓହ୍ଲାଇବା ପରେ ୧୯ଜଣ ଶଙ୍ଖ ବଜେଇବା ସହ ନୃତ୍ୟ ଓ ଫୁଲର ବର୍ଷା କରାଇ ତାଙ୍କୁ ସ୍ବାଗତ କରାଯିବ। ଦୀର୍ଘ ୭କିଲୋମିଟର ପର୍ଯ୍ୟନ୍ତ ରୋଡ ଶୋ’ ହେବା ପରେ ସେ ଗାନ୍ଧୀ ଆଶ୍ରମ ଯିବେ।

Share