Categories: ଅନୁଗୋଳ

ସାପ କାମୁଡ଼ାରେ ନାବାଳକ ମୃତ: ମେଡିକାଲରେ ଗୁଣିଆ କଲେ ଝଡ଼ାଫୁଙ୍କା

ଅନୁଗୋଳ ଅଫିସ, ୧୫।୯ – ସାପ କାମୁଡ଼ାରେ ଗୁରୁତର ହୋଇଥିବା ଜଣେ ନାବାଳକଙ୍କ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଶନିବାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ତେବେ ମୃତ ଘୋଷଣା ପରେ ଶବ ବ୍ୟବଚ୍ଛେଦ କରିବା ପରିବର୍ତ୍ତେ ପରିବାର ଲୋକେ ସେଠାରେ ଗୁଣିଆକୁ ଡାକି ଝଡ଼ାଫୁଙ୍କା କରିବା ଚର୍ଚ୍ଚାର ବିଷୟ ହୋଇଛି।
ପ୍ରକାଶ ଯେ, ଛେଣ୍ଡିପଦା ବ୍ଲକ ପୋଡ଼ାପଡ଼ା ଗାଁର ଶକ୍ତି ପ୍ରସାଦ ନାଏକ(୧୫)ଙ୍କୁ ଶୁକ୍ରବାର ବିଳମ୍ବିତ ରାତିରେ ସାପ କାମୁଡିଥିଲା। ପରିବାର ଲୋକ ତାଙ୍କୁ ସ୍ଥାନୀୟ ଛେଣ୍ଡିପଦା ମେଡିକାଲ ଓ ପରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ତେବେ ଜିଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ମୃତଦେହ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ପକ୍ଷରୁ କୁହାଯାଇଥିଲା। ଅନୁଗୋଳ ପୋଲିସକୁ ମଧ୍ୟ ଅବଗତ କରାଯାଇଥିଲା। କିନ୍ତୁ ପୋଲିସ ପହଞ୍ଚି ପଞ୍ଚନାମା କରିବାକୁ ଯିବା ବେଳେ ପରିବାର ପକ୍ଷରୁ ବିରୋଧ କରାଯାଇଥିଲା। ଗୁଣିଆ ଆସି ଝଡ଼ାଫୁଙ୍କା କରିବା ପରେ ଯାହା କିଛି କରାଯିବ ବୋଲି କୁହାଯାଇଥିଲା। ପରେ ଗୁଣିଆ ଆସି ପହଞ୍ଚତ୍ବା ବେଳେ ପୋଲିସ ବିରୋଧ କରିଥିଲା। ହେଲେ ପରିବାର ଲୋକେ ପୋଲିସ କଥା ନ ଶୁଣି ଗୁଣିଆ ଉପରେ ବିଶ୍ୱାସ ରଖିଥିଲେ। କିନ୍ତୁ ଗୁଣିଆ ଫେଲ ମାରିବା ପରେ ପୋଲିସ ପରିବାର ଲୋକଙ୍କୁ ବୁଝାଶୁଝା କରି ମୃତଦେହ ବ୍ୟବଚ୍ଛେଦ କରାଇଥିଲା। ଏ ସଂକ୍ରାନ୍ତରେ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି।