ସାନ ଦେଉଛନ୍ତି ଶୃଙ୍ଖଳାର ନିଦର୍ଶନ, ବଡ଼ ଭାଙ୍ଗୁଛନ୍ତି ନିୟମ: ବାଗ୍‌ଚୀ

ଭୁବନେଶ୍ୱର,୩୧।୩(ବ୍ୟୁରୋ): ଭାରତରେ ଘାତକ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨ଶହ ଟପିଥିବା ବେଳେ ଓଡ଼ିଶାରେ ଏହି ସଂଖ୍ୟା ୩ରେ ରହିଛି। ଏହାପଛରେ ଥିବା କାରଣଟି ହେଲା ଓଡ଼ିଶାର ଜନସାଧାରଣଙ୍କ ସଚେତନତା ଏବଂ ସହଯୋଗ। ଦୀର୍ଘ ୧୫ ଦିନ ଧରି ଲୋକମାନେ ସୁଖ ଓ ସ୍ବାଚ୍ଛନ୍ଦକୁ ତ୍ୟାଗ କରି ସାମାଜିକ ଦୂରତ୍ୱ ବଜାୟ ରଖିଛନ୍ତି। ସଂଗରୋଧ କରିଛନ୍ତି। ଲକ୍‌ଡାଉନ୍‌ରେ ରହିଛନ୍ତି। ସେଥିପାଇଁ କରୋନା ସଂକ୍ରମିତଙ୍କ ସଂଖ୍ୟା କମ୍‌ ରହିଛି ବୋଲି ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ମଙ୍ଗଳବାର ରାଜ୍ୟ ସରକାରଙ୍କ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ ସୂଚନା ଦେଇ କହିଛନ୍ତି।

ଏହାଛଡ଼ା ଲକ୍‌ଡାଉନ୍‌ ସମୟରେ ପୁଅଝିଅମାନେ ସବୁଠାରୁ ବେଶି ତ୍ୟାଗ ଏବଂ ଧୌର୍ଯ୍ୟ ପ୍ରଦର୍ଶନ କରିଛନ୍ତି। ରାସ୍ତାଘାଟରେ ଛୋଟପିଲା ନଜର ଆସୁନାହାନ୍ତି। ସେମାନେ ଘରେ ରହି ବଡ଼ମାନଙ୍କ ପାଇଁ ଶୁଙ୍ଖଳାର ନିଦର୍ଶନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ସ୍ନେହ ଜଣାଇଛନ୍ତି। ସେମାନେ ପରିବାରର ବଡ଼ମାନଙ୍କୁ ବୁଝାଇ ଘରେ ରହିବାକୁ କୁହନ୍ତୁ ବୋଲି ବାଗ୍‌ଚୀ ଅନୁରୋଧ କରିଛନ୍ତି।