ସାନ୍ତ୍ରାଗାଛି-ପାରାଦୀପ ଏକ୍ସପ୍ରେସ ୩ ମାସ ବାତିଲ

ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ସାନ୍ତ୍ରାଗାଛି-ପାରାଦୀପ ସାପ୍ତାହିକ ଏକ୍ସପ୍ରେସ ୩ ମାସ ପର୍ଯ୍ୟନ୍ତ ଚଳାଚଳ କରିବ ନାହିଁ। ଆସନ୍ତା ବର୍ଷ ୬ ଜାନୁୟାରୀଠାରୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଉଭୟ ପଟରୁ ଏହି ଏକ୍ସପ୍ରେସ ବାତିଲ୍‌ ରହିବ ବୋଲି ଦକ୍ଷିଣ-ପୂର୍ବ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପଟେ ସାନ୍ତ୍ରାଗାଛି ଓ ଚେନ୍ନାଇ ସେଣ୍ଟ୍ରାଲ ମଧ୍ୟରେ ତିନି ମାସ ପର୍ଯ୍ୟନ୍ତ ଏକ ସୁବିଧା ସ୍ପେଶାଲ ଟ୍ରେନ ଚଳାଚଳ କରିବ। ଏହା ସାପ୍ତାହିକ ହୋଇଥିବାବେଳେ ୩ ଜାନୁୟାରୀରୁ ୨୮ ମାର୍ଚ୍ଚ ପର୍ଯ୍ୟନ୍ତ ଚଳାଚଳ କରିବ। ପ୍ରତି ଶୁକ୍ରବାର ସାନ୍ତ୍ରାଗାଛିରୁ ଅପରାହ୍ନ ୧୨ଟା ୪୦ରେ ବାହାରି ଶନିବାର ଅପରାହ୍ନ ୩ଟା ୨୦ରେ ଚେନ୍ନାଇ ସେଣ୍ଟ୍ରାଲରେ ପହଞ୍ଚତ୍ବ। ସେହିପରି ଚେନ୍ନାଇରୁ ଶନିବାର ସନ୍ଧ୍ୟା ୬ଟା ୨୦ରେ ବାହାରି ରବିବାର ରାତି ୧୧ଟା ୩୦ରେ ସାନ୍ତ୍ରାଗାଛିରେ ପହଞ୍ଚତ୍ବ। ଖଡ଼ଗପୁର, ଭଦ୍ରକ, ଯାଜପୁର-କେଉଁଝର ରୋଡ଼, ଭୁବନେଶ୍ୱର, ଖୋର୍ଦ୍ଧାରୋଡ଼, ବ୍ରହ୍ମପୁର, ସୋମପେଟା, ପଲାସା, ଶ୍ରୀକାକୁଲମ ରୋଡ଼, ବିଜୟନଗରମ, କୋଟ୍ଟାଭଲାସା, ଦୁବାଡ଼ା, ରାଜାମହେନ୍ଦ୍ରି, ବିଜୟଓ୍ବାଡ଼ା, ନେଲୋର ଷ୍ଟେଶନରେ ରହଣି କରିବ। ଏହାଦ୍ୱାରା ଉତ୍ତର ଓଡ଼ିଶା, ଦକ୍ଷିଣ ଓଡ଼ିଶାର ଯାତ୍ରୀମାନେ ବିଶେଷ ଭାବେ ଉପକୃତ ହୋଇପାରିବେ।