ସାନିଟାଇଜର ପ୍ରସ୍ତୁତ କଲେ ୩ ଅଧ୍ୟାପକ

କଟକ ଅଫିସ,୨।୪: ଲକ୍‌ଡାଉନ୍‌ ବଳବତ୍ତର ଥିବାରୁ ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ଶିକ୍ଷାଦାନ ବନ୍ଦ ରହିଛି। ତେବେ ୩ଜଣ ଅଧ୍ୟାପକ ଏହି ଫାଙ୍କା ସମୟର ସଦୁପଯୋଗ କରି ଏକ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି। କିଛି ଦିନର ପରିଶ୍ରମ ଭିତରେ ସେମାନେ ଏବେ ସୁଦ୍ଧା ୧୫ ଲିଟର ସାନିଟାଇଜର ପ୍ରସ୍ତୁତ କରିଛନ୍ତି। ଯାହାକୁ ମଙ୍ଗଳବାରଠାରୁ ମାଗଣାରେ ବଣ୍ଟାଯାଉଛି। ଆଉ ୧୦ ଲିଟର ପ୍ରସ୍ତୁତ କରାଯିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ସୁରକ୍ଷାକର୍ମୀ ଓ ବିଭିନ୍ନ ଜରୁରୀକାଳୀନ କର୍ମଚାରୀଙ୍କୁ ସାନିଟାଇଜର ଦିଆଯାଉଥିବାବେଳେ ପରେ ଏହାକୁ ସହରର ବିଭିନ୍ନ ସ୍ଥାନରେ ବଣ୍ଟାଯିବ ବୋଲି କୁହାଯାଇଛି। ପ୍ରତ୍ୟେକଙ୍କୁ ୧୦୦ ଏମ୍‌ଏଲ୍‌ ସାନିଟାଇଜର ଦିଆଯାଉଛି।
ଏଭଳି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି କୁଳପତି ପ୍ରଫେସର ଈଶାନ କୁମାର ପାତ୍ର। କେବଳ ଶିକ୍ଷାଦାନ ନୁହେଁ ଅଧ୍ୟାପକମାନଙ୍କ ସାମାଜିକ ଦାୟିତ୍ୱବୋଧତା ସାଧାରଣରେ ଏକ ଭିନ୍ନ ବାର୍ତ୍ତା ଦେଉଛି ବୋଲି କୁଳପତି କହିଛନ୍ତି। ରସାୟନ ବିଭାଗର ଅଧ୍ୟାପକ ଡ. ସିଦ୍ଧାର୍ଥ ଭରଦ୍ୱାଜ, ଡ. ଆଶିଷ ଦାସ ମହାପାତ୍ର ଏବଂ ଡ. କ୍ଷୀରୋଦ କୁମାର ସାହୁ ମିଳିତ ଭାବେ ଏହି ସାନିଟାଇଜର ପ୍ରସ୍ତୁତ କରିଛନ୍ତି। ଅଧ୍ୟାପକ ଡ. ଭରଦ୍ୱାଜ କହିଛନ୍ତି, ଗତ ୧୦ ଦିନ ହେଲା ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ବନ୍ଦ ରହିଛି। ପ୍ରଶାସନିକ କାର୍ଯ୍ୟାଳୟରେ ମଧ୍ୟ ତାଲା ଝୁଲୁଛି। ତେବେ ବର୍ତ୍ତମାନ କରୋନା ଭଳି ସ୍ଥିତିରେ ସାନିଟାଇଜରର ଅଧିକ ଆବଶ୍ୟକତା ପଡୁଛି। ତେଣୁ ଘରେ ବସିବା ଅପେକ୍ଷା କିଛି ଭଲ କାର୍ଯ୍ୟ କରିବୁ ବୋଲି ଚିନ୍ତା କରିଥିଲୁ। ପରେ ସାନିଟାଇଜର ପ୍ରସ୍ତୁତି ପାଇଁ ନିଷ୍ପତ୍ତି ନେଇଥିଲୁ। ଇଥାନଲ୍‌, ଗ୍ଲିସେରିନ୍‌ ଓ ହାଇଡ୍ରୋଜେନ୍‌ ପେରକ୍ସସାଇଡ୍‌କୁ ମିଶ୍ରଣ କରାଯାଇ ସାନିଟାଇଜର ପ୍ରସ୍ତୁତ ହୋଇଛି।