ସାନଖେମୁଣ୍ଡି ବିଧାନସଭା ନିର୍ବାଚନୀ ମାମଲା:ହାଇକୋର୍ଟଙ୍କ ମୁଖ୍ୟ ଖଣ୍ଡପୀଠକୁ ଗଲା ମାମଲା

କଟକ ଅଫିସ, ୬ା୧୧:ଗଞ୍ଜାମ ଜିଲା ସାନଖେମୁଣ୍ଡି ବିଧାନସଭା ନିର୍ବାଚନୀ ମାମଲାର ଶୁଣାଣି କରିବାକୁ ହାଇକୋର୍ଟ ବିଚାରପତି ବିଶ୍ୱନାଥ ରଥ ଅନିଚ୍ଛା ପ୍ରକାଶ କରିଛନ୍ତି। ମଙ୍ଗଳବାର ଏହି ମାମଲାର ଶୁଣାଣି ହେବାକୁ ଥିବାବେଳେ ବିଚାରପତି ଶୁଣାଣି ପାଇଁ ମନା କରିବାରୁ ଏହାକୁ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠକୁ ପଠାଯାଇଛି। ତେବେ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ କି ଅନ୍ୟ କୌଣସି ଖଣ୍ଡପୀଠକୁ ସ୍ଥାନାନ୍ତର କରିବେ ସେନେଇ ସୂଚନା ମିଳିନାହିଁ।
ପ୍ରକାଶ ଯେ, ସାନଖେମୁଣ୍ଡି ନିର୍ବାଚନୀ ମାମଲା ନେଇ ବିଜେଡିର ପରାଜିତ ପ୍ରାର୍ଥତ୍ନୀ ନନ୍ଦିନୀ ଦେବୀ ହାଇକୋର୍ଟରେ ଏକ ମାମଲା ରୁଜୁ କରିଥିଲେ। ଆବେଦନକାରିଣୀ ତାଙ୍କ ପିଟିଶନ୍‌ରେ ଦର୍ଶାଇଥିଲେ ଯେ, ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ନିର୍ବାଚନ ପୂର୍ବରୁ ପ୍ରାର୍ଥୀମାନେ ସେମାନଙ୍କ ବିରୋଧରେ ଯଦି କୌଣସି ଆପରାଧିକ ମାମଲା ଥାଏ ତେବେ ସେମାନେ ବୈଦ୍ୟୁତିକ ଗଣମାଧ୍ୟମ ଏବଂ ଖବରକାଗଜରେ ବିଜ୍ଞାପନ ଦେବା କଥା। ମାତ୍ର ସାନଖେମୁଣ୍ଡିରୁ ବିଜୟୀ କଂଗ୍ରେସ ପ୍ରାର୍ଥୀ ରମେଶ ଜେନାଙ୍କ ବିରୋଧରେ ଅନେକ ଫୌଜଦାରୀ ମାମଲା ରହିଥିଲେ ମଧ୍ୟ ସେ ଏ ସଂକ୍ରାନ୍ତରେ କୌଣସି ବିଜ୍ଞାପନ ଦେଇନାହାନ୍ତି। ତେଣୁ ତାଙ୍କ ବିଧାୟକ ପଦ ରଦ୍ଦ କରିବାକୁ ଆବେଦନକାରୀ ଅଦାଲତଙ୍କୁ ପ୍ରାର୍ଥନା କରିଥିଲେ। ଗତ ସେପ୍ଟେମ୍ବର ୨୩ରେ ବିଚାରପତି ଜଷ୍ଟିସ୍‌ ରଥ ମାମଲାର ପ୍ରାଥମିକ ଶୁଣାଣି କରି ବିଧାୟକ ରମେଶ ଜେନାଙ୍କ ସମେତ ବିଧାୟକ ପ୍ରାର୍ଥୀ ବିଜୟ ସ୍ବାଇଁ, ଗରିବ ନାଏକ ଓ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କୁ ନୋଟିସ୍‌ ଜାରି କରିଥିଲେ। ଆବେଦନକାରିଣୀଙ୍କ ପକ୍ଷରୁ ଆଇନଜୀବୀ ରାଜୀବ କୁମାର ମହନ୍ତ, ନିରଞ୍ଜନ ହୋତା, ସୁକାନ୍ତ ଦଳେଇ, ସତ୍ୟବ୍ରତ ମହାପାତ୍ର ମାମଲା ପରିଚାଳନା କରୁଛନ୍ତି।