ସାନଖେମୁଣ୍ଡିରେ ଜନତା କର୍ଫ୍ୟୁ: ଜରୁରୀ ସେବାକୁ ଛାଡ଼ି ସବୁ ବନ୍ଦ

ପାଟପୁର,୨୨।୩(ଡି.ଏନ୍‌.ଏ.): କରୋନା ଭୂତାଣୁ ସଂକ୍ରାମଣକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଜନତା କର୍ଫ୍ୟୁ ବାର୍ତ୍ତା ନେଇ ରବିବାର ସାନଖେମୁଣ୍ଡି ଅଞ୍ଚଳ ଖାଁ ଖାଁ ହୋଇପଡ଼ିଛି। ସହରରେ ଥିବା ଦେକାନ ବଜାର ଯାନବାହନ ସମ୍ପୂର୍ଣ୍ଣ ବନ୍ଦ ରହିଥିବାବେଳେ ଜରୁରିକାଳୀନ ସେବା ଯଥା ଅଗ୍ନିଶମ ବିଭାଗ, ଡାକ୍ତରଖାନା, ଔଷଧ ଦୋକାନ ଖୋଲା ରହିଥିଲା। ଗଞ୍ଜାମ ଜିଲା ସାନଖେମୁଣ୍ଡି ଅଞ୍ଚଳରେ ଜନସାଧାରଣ ପ୍ରଶାସନକୁ ପୂର୍ଣ୍ଣ ସହଯୋଗ କରିଛନ୍ତି। ଫଳରେ କର୍ଫ୍ୟୁର ସମ୍ପୂର୍ଣ୍ଣ ପ୍ରଭାବ ସାନଖେମୁଣ୍ଡିରେ ଦେଖିବାକୁ ମିଳିଛି। ଏହାସହ ସାନଖେମୁଣ୍ଡି ତହସିଲଦାର ଅମିତ୍‌ କୁମାର ନାୟକ, ପାଟପୁର ଥାନାଧିକାରୀ ଅଜୟ କୁମାର ବାରିକ, ବିଡିଓ ଗାୟତ୍ରୀ ଦତ୍ତ ନାୟକ ସହର ସମେତ ବିଭିନ୍ନ ଗ୍ରାମରେ ପଇଁତରା ଦେଇ ଯେଉଁ ବ୍ୟକ୍ତି ବିନା କାର୍ଯ୍ୟରେ ବାହାରକୁ ଆସିଥିଲେ ସେମାନଙ୍କୁ ବୁଝାଇ ଘରକୁ ଚାଲିଯିବାକୁ ପରାମର୍ଶ ଦେଇଛନ୍ତି। ଥାନାଧିକାରୀ ସାନଖେମୁଣ୍ଡି ଅଞ୍ଚଳ ବୁଲି ଲୋକଙ୍କୁ ସଚେତନ କରାଇଥିଲେ।