ସାଧୁସନ୍ଥଙ୍କ ମେଳି, ଝୁଣ୍ଟିଲା ପ୍ରଶାସନ; ସବୁ ମଠର ପରମ୍ପରା ବଞ୍ଚାଇ ରଖାଯିବ: ଜିଲାପାଳ

ପୁରୀ ଅଫିସ, ୩ା୯: ଶ୍ରୀମନ୍ଦିର ସୁରକ୍ଷା ଏବଂ ପୁରୀର ବିକାଶ ପାଇଁ ପ୍ରଶାସନ ପକ୍ଷରୁ ଚାଲିଥିବା ଉଚ୍ଛେଦ ପ୍ରକ୍ରିୟାରେ ଲାଗିଛି ବ୍ରେକ୍‌। କ୍ଷତିଗ୍ରସ୍ତଙ୍କ ଲାଗି ସରକାର ଆକର୍ଷଣୀୟ ପ୍ୟାକେଜ ଘୋଷଣା କରିଛନ୍ତି। ଏହା ସେମାନଙ୍କୁ ସନ୍ତୁଷ୍ଟ କରିପାରିନି। ବରଂ ସେମାନଙ୍କ ପ୍ରତିବାଦକୁ ଆହୁରି ଶାଣିତ କରିଛି। ସବୁଠୁ ବଡ଼ କଥା ହେଉଛି ଏହି ପ୍ରତିବାଦର ସ୍ବର ଆଉ ପୁରୀ କିମ୍ବା ଓଡ଼ିଶା ଭିତରେ ସୀମିତ ନାହିଁ, ଅନ୍ୟ ରାଜ୍ୟକୁ ବି ଛୁଇଁଛି। ଭାରତର ବିଭିନ୍ନ ସ୍ଥାନରୁ ଅଖିଳ ଭାରତୀୟ ସନ୍ଥ ସମିତିର ପ୍ରମୁଖ କର୍ମକର୍ତ୍ତା ଶ୍ରୀକ୍ଷେତ୍ରରେ ପହଞ୍ଚତ୍ ମଠ, ମନ୍ଦିରର ସୁରକ୍ଷା ପାଇଁ ଜୀବନ ବାଜି ଲଗାଇବାକୁ ପ୍ରସ୍ତୁତ ହୋଇଯାଇଛନ୍ତି। ମଠ, ମନ୍ଦିର ଉଚ୍ଛେଦକୁ ବିରୋଧ କରି ବଡ଼ଦାଣ୍ଡରେ ଗର୍ଜିଛନ୍ତି ସାଧୁସନ୍ଥ। ବଡ଼ ଆଖଡା ମଠରେ ମେଳି ବାନ୍ଧି ପ୍ରଶାସନକୁ ମୁକାବିଲା ପାଇଁ ପ୍ରସ୍ତୁତ ହୋଇଛନ୍ତି। ଏଭଳି ପ୍ରତିବାଦକୁ ଦେଖି ଝୁଣ୍ଟିଛି ପ୍ରଶାସନ। ଫଳରେ ମଙ୍ଗଳବାର ହେବାକୁ ଥିବା ବଡ଼ ଆଖଡା ମଠ ଉଚ୍ଛେଦ କାର୍ଯ୍ୟକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ୨/୩ ଦିନ ମଧ୍ୟରେ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି।