ସାଧୁତା, ସତ୍ୟତାକୁ ନେଇ ଖବର ପରିବେଷଣ ହେବା ଉଚିତ

କଟକ ଅଫିସ,୭।୧୦: ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ଦ୍ୱାରା ପ୍ରତିଷ୍ଠିତ ଦୈନିକ ଖବରକାଗଜ ସମାଜର ଶତବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ କଟକ ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ରବିବାର ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ଉପରାଷ୍ଟ୍ରପତି ଏମ୍‌. ଭେଙ୍କାୟା ନାଇଡୁ ଯୋଗଦେଇ କହିଥିଲେ, ଆଜି ମୁଁ ସମାଜର ଶତବାର୍ଷିକ ଉତ୍ସବ ଏବଂ ଗୋପବନ୍ଧୁଙ୍କ ଜୀବନୀ ଉପରେ ରଚିତ ପୁସ୍ତକ ଉନ୍ମୋଚନ କରିଥିବାରୁ ବହୁତ ଆନନ୍ଦିତ। ଉତ୍କଳମଣି ଗୋପବନ୍ଧୁ ଦାସ ଜଣେ ଭଲ ସାମାଜିକ କର୍ମୀ, ସ୍ବାଧୀନତା ସଂଗ୍ରାମୀ, ଲେଖକ ଥିଲେ। ସମ୍ବିଧାନର ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମ। ସେଥିପାଇଁ ସାଧୁତା ଓ ସତ୍ୟତାକୁ ନେଇ ଖବର ପରିବେଷଣ ହେବା ଉଚିତ୍‌। ଭଲ ସରକାର ଗଠନ କରିବା ଦିଗରେ ଗଣମାଧ୍ୟମର ମହତ୍ତ୍ବପୂର୍ଣ୍ଣ ଭୂମିକା ରହିଛି। ନିଜେ ସ୍ବଚ୍ଛ ରହିଲେ ପରିବେଶ ସ୍ବଚ୍ଛ ରହିବ। ପରିବେଶ ସ୍ବଚ୍ଛ ରହିଲେ ଲୋକେ ଭଲରେ ରହିବେ। ସମାଜରେ ଅବହେଳିତ ଲୋକଙ୍କୁ ମୁଖ୍ୟ ସ୍ରୋତରେ ଆଣିବା ହିଁ ଗଣମାଧ୍ୟମର ପ୍ରଥମ ଲକ୍ଷ୍ୟ ହେବା ଉଚିତ। ଗଣମାଧ୍ୟମ ସର୍ବଦା ଟିଆର୍‌ପି ପଛରେ ନ ଗୋଡ଼ାଇ ଠିକ୍‌ ଖବରକୁ ପ୍ରସାରଣ କରିବା ଉଚିତ। ଆଜିକାଲି ବିଭିନ୍ନ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ପ୍ରକାଶ ପାଉଥିବା ମିଥ୍ୟା ଖବର ଠାରୁ ଦୂରେଇ ରହିବାକୁ ସେ ପରାମର୍ଶ ଦେଇଥିଲେ। ପ୍ରତ୍ୟେକ ବ୍ୟକ୍ତି ପ୍ରଥମେ ନିଜ ମାତୃଭାଷା ଓ ପରେ ଇଂଲିଶ, ହିନ୍ଦୀ, କନ୍ନଡ, ବଙ୍ଗଳା ଭଳି ଭାଷା କହିବା କଥା। ଏଥିରେ ସମ୍ମାନିତ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଏମ୍‌ପି ଅଚ୍ୟୁତ ସାମନ୍ତଙ୍କ ସମେତ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସଭାପତି ଦୀପକ ମାଲବ୍ୟ, ଲୋକସେବକ ମଣ୍ଡଳର କୋଷାଧ୍ୟକ୍ଷ ଭୀମସେନ ଯାଦବ, ଟ୍ରଷ୍ଟି ଡ. ଏସ.ଏନ୍‌. ସୁବାରାଓ, ରାଷ୍ଟ୍ରୀୟ ସମ୍ପାଦକ ନିରଞ୍ଜନ ରଥ, ଡାକସେବା ବୋର୍ଡର ସଚିବ ଅନନ୍ତ ନାରାୟଣ ନନ୍ଦ, ସମାଜର ସମ୍ପାଦକ ବାମାପଦ ତ୍ରିପାଠୀ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ସମାଜ ପକ୍ଷରୁ ଡାକ ଟିକଟ ସହ ୧୦୦ ପୃଷ୍ଠା ବିଶିଷ୍ଟ ସମାଜ ଖବରକାଗଜ ଉନ୍ମୋଚିତ ହୋଇଥିଲା।