ସାଥୀ ଖେଳାଳିଙ୍କ ବ୍ୟାଟ୍‌ ଆକ୍ରମଣରେ ନାବାଳକଙ୍କ ମୃତ୍ୟୁ

ଝାରସୁଗୁଡ଼ା ଅଫିସ/ଲଖନପୁର,୭।୧୦(ଡି.ଏନ୍‌.ଏ): ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଥାନା ଅଧୀନ ଓସିଏମ୍‌ କଲୋନୀ ଏଚ୍‌ଲାଇନ ନିକଟରେ ଗତ ଶନିବାର କେତେକ ବାଳକ କ୍ରିକେଟ ଖେଳିବା ପାଇଁ ରୁଣ୍ଡ ହୋଇଥିଲେ। ଏହି ସମୟରେ କୌଣସି କାରଣରୁ ୨ ନାବାଳକଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଜଣେ ନାବାଳକ ସାଥୀ ନାବାଳକଙ୍କ ମୁଣ୍ଡକୁ ବ୍ୟାଟ୍‌ରେ ଆକ୍ରମଣ କରିଥିଲେ। ଏଥିରେ ନାବାଳକ ସତ୍ୟମ୍‌ ଭାସ୍କର (୧୦) ଗୁରୁତର ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବ୍ରଜରାଜ ନଗରସ୍ଥିତ ମଣ୍ଡଳିଆ ସେଣ୍ଟ୍ରାଲ ହସ୍ପିଟାଲ ଓ ପରେ ବୁର୍ଲା ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସତ୍ୟମ୍‌ଙ୍କ ରବିବାର ସକାଳେ ମୃତ୍ୟୁ ଘଟିଛି। ମୃତଦେହ ବ୍ୟବଚ୍ଛେଦ ପରେ ପୋଲିସ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ସୋମବାର ମୃତକଙ୍କ ମାଉସୀ ଧନେଶ୍ବରୀ ଭାସ୍କରଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ କେସ୍‌ ନଂ. ୧୨୧/୧୯ରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଏହି ଘଟଣାରେ ଆକ୍ରମଣକାରୀ ନାବାଳକଙ୍କୁ ପୋଲିସ ସୁଧାରଗୃହକୁ ପଠାଇବ ବୋଲି ଆଇଆଇସି ବିଶ୍ବାମିତ୍ର ହରପାଲ କହିଛନ୍ତି।