Categories: ରାଜ୍ୟ

ସାତକୋଶିଆରେ ହେବ ଶମ୍ବର ପ୍ରଜନନ କେନ୍ଦ୍ର

ବନ୍ତଳା,୨୪ା୭-ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ପାଇଁ ଖୁସି ଖବର। ଅନ୍ୟ ତୃଣଭୋଜୀ ଅପେକ୍ଷା ଶମ୍ବର ଶିକାର ବାଘର ପ୍ରଥମ ପସନ୍ଦ ହୋଇଥିବାରୁ ଏଠାରେ ଏକ ଶମ୍ବର ପ୍ରଜନନ କେନ୍ଦ୍ର କରାଯିବ। ଯେହେତୁ ଅଭୟାରଣ୍ୟରେ ଶମ୍ବର ସଂଖ୍ୟା ହ୍ରାସ ପାଉଛି ତେଣୁ ଭବିଷ୍ୟତରେ ବାଘ ପାଇଁ ଖାଦ୍ୟ ଯୋଗାଡ଼ ଓ ପ୍ରକଳ୍ପ ମଧ୍ୟରେ ଖାଦ୍ୟ ଶୃଙ୍ଖଳା ସଜାଡ଼ିବାକୁ ଏପରି ଏକ ଯୋଜନା କରାଯାଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ବାଘୁଣୀ ସୁନ୍ଦରୀ ପାଇଁ ପ୍ରଥମେ ୨୫ ହେକ୍ଟରରେ ନୂଆ ଏନକ୍ଲୋଜର ନିର୍ମାଣ ଶେଷ ହେବା ପରେ ରାଇଗୁଡ଼ାରେ ଏହି ପ୍ରଜନନ କେନ୍ଦ୍ର କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
ନ୍ୟାଶନାଲ ଟାଇଗର କଞ୍ଜରଭେଶନ ଅଥରିଟି (ଏନ୍‌ଟିସିଏ) ଓ ୱାଇଲ୍ଡ ଲାଇଫ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ (ଡବ୍ଲ୍ୟୁଆଇଆଇ)ର ମିଳିତ ରିପୋର୍ଟ ଅନୁଯାୟୀ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପରେ ପ୍ରତି ବର୍ଗ କିଲୋମିଟରରେ ୨୫ ତୃଣଭୋଜୀ ପ୍ରାଣୀ ଅଛନ୍ତି। ୨୦୧୭ରେ ଏଠାରେ ଶମ୍ବର, ଗୟଳ, ହରିଣ, ମିରିଗ, କୁଟୁରା, ମାଙ୍କଡ଼, ଗୁରାଣ୍ଡି ଆଦି ମୋଟ୍‌ ୨୪ ହଜାର ୯୬ ତୃଣଭୋଜୀ ପ୍ରାଣୀ ଥିବା ହିସାବ କରାଯାଇଛି। ତେବେ ପ୍ରତି ଏକ ବର୍ଗ କିଲୋମିଟର ଅଞ୍ଚଳରେ ଶମ୍ବର ସଂଖ୍ୟା ୮ରୁ କମ୍‌ ରହିଛି। ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଓ ତା’ର ପରିସୀମା ଅଞ୍ଚଳରେ ଥିବା ଆଠମଲ୍ଲିକ, ଅନୁଗୋଳ, ଢେଙ୍କାନାଳ, ବୌଦ୍ଧ, ଆଠଗଡ ଓ ନୟାଗଡ଼ ବନଖଣ୍ଡରେ ଶମ୍ବରଙ୍କ ସଂଖ୍ୟା ହ୍ରାସ ପାଉଥିବା ସରକାରୀ ରିପୋର୍ଟରୁ ଜଣାପଡିଛି। ଅଭୟାରଣ୍ୟରେ ସକ୍ରିୟ ଥିବା ଆଖପାଖ ଅଞ୍ଚଳର ଶିକାରୀମାନେ ଅଧିକ ସଂଖ୍ୟକ ଶମ୍ବର ଶିକାର କରୁଛନ୍ତି। ସେହିପରି ଜଙ୍ଗଲରେ ଖରାଦିନେ ପାଣିର ଅଭାବ, ରୋଗ ଓ ଠିକଣା ସମୟରେ ପ୍ରଜନନ ହୋଇପାରୁ ନ ଥିବାରୁ ଏହି ତୃଣଭୋଜୀଙ୍କ ସଂଖ୍ୟା ହ୍ରାସ ପାଉଛି। ଏହାର ପ୍ରଭାବ ସାତକୋଶିଆ ଜୈବ ବିବିଧତା ଉପରେ ପଡୁଥିବା ବେଳେ ଖାଦ୍ୟ ଶୃଙ୍ଖଳା ବିଗିଡ଼ି ଯାଉଛି। ତେଣୁ ପ୍ରକଳ୍ପ ମଧ୍ୟରେ ବାଘବଂଶ ବୃଦ୍ଧି, ସୁରକ୍ଷା ଓ ସହଜରେ ବାଘକୁ ଶିକାର ଯୋଗାଇ ଦେବା ଉଦ୍ଦେଶ୍ୟରେ ଏଠାରେ ଶମ୍ବର ସଂଖ୍ୟା ବଢ଼ାଇବା ପାଇଁ ସରକାର ସ୍ବତନ୍ତ୍ର ଧ୍ୟାନ ଦେଇଥିବାରୁ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ପାଇଁ ଏହା ଏକ ଖୁସିର ଖବର ବୋଲି ପରିବେଶବିତମାନେ ମତବ୍ୟକ୍ତ କରିଛନ୍ତି।
ଏ ସମ୍ପର୍କରେ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ (ଆର୍‌ସିସିଏଫ୍‌) ତଥା ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ ପ୍ରଦୀପ ରାଜ କରାଟେ କହିଛନ୍ତି, ବାଘ ବଂଶ ବୃଦ୍ଧି ପାଇଁ ଶମ୍ବର ସଂଖ୍ୟାରେ ବୃଦ୍ଧି ନିତାନ୍ତ ଆବଶ୍ୟକ। କିନ୍ତୁ ଶମ୍ବର ସଂଖ୍ୟା ଏଠାରେ କମିଛି। ତେଣୁ ଏହି ପ୍ରାଣୀର ସଂଖ୍ୟା ବୃଦ୍ଧି ଓ ସୁରକ୍ଷା ପାଇଁ ରାଇଗୁଡାରେ ଏକ ଏନକ୍ଲୋଜରରେ ପ୍ରଜନନ ବ୍ୟବସ୍ଥା କରାଯିବା ଯୋଜନା ରହିଛି।

(ଦୀନେଶ କୁମାର ଦେହୁରୀ)